ର‍୍ୟାନ୍‌ ଛାତ୍ର ହତ୍ୟା ମାମଲା: ବସ୍‌ କଣ୍ଡକ୍ଟର ଅଶୋକଙ୍କୁ ଜାମିନ

-ସ୍କୁଲ୍‌ ମାଲିକଙ୍କ ଜାମିନ ପାଇଁ ଷ୍ଟାଟସ ରିପୋର୍ଟ ଦାଖଲ

ଗୁଡ଼ଗାଓଁ,: ହରିଆଣାର ଗୁଡ଼ଗାଓଁ ସ୍ଥିତ ର‍୍ୟାନ୍‌ ଇଣ୍ଟରନ୍ୟାସନାଲ୍‌ ସ୍କୁଲ୍‌ରେ ୭ ବର୍ଷୀୟ ଛାତ୍ର ପ୍ରଦ୍ୟୁମ୍ନ ଠାକୁର ହତ୍ୟା ମାମଲାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍କୁଲ୍‌ର ବସ୍‌ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଆଜି ଜାମିନ ମିଳିଛି। ଏକ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ଆଜି ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଅଶୋକଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଅପରପକ୍ଷେ, ର‍୍ୟାନ୍‌ ଇଣ୍ଟରନ୍ୟାସନାଲ ସ୍କୁଲ୍‌ର ୩ ଜଣ ମାଲିକ ତଥା ପ୍ରତିଷ୍ଠାତା ଅଗଷ୍ଟାଇନ୍‌ ଫ୍ରାଙ୍କିସ ପିଣ୍ଟୋ, ଏମ୍‌ଡି ଗ୍ରେସ୍‌ ପିଣ୍ଟୋ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ର‍୍ୟାନ୍‌ ପିଣ୍ଟୋଙ୍କ ଆଗୁଆ ଜାମିନ ଆବେଦନ ଉପରେ ଆଜି ସିବିଆଇ ପଞ୍ଜାବ ଏବଂ ହରିଆଣା ହାଇକୋର୍ଟରେ ଏକ ବନ୍ଦ ଲଫାପାରେ ଷ୍ଟାଟସ ରିପୋର୍ଟ ଦାଖଲ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୮ରେ ର‍୍ୟାନ୍‌ ସ୍କୁଲ୍‌ର ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରଦ୍ୟୁମ୍ନକୁ ଶୌଚାଳୟ ଭିତରେ ଗଳା କାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ପ୍ରଥମେ ବସ୍‌ କଣ୍ଡକ୍ଟର ଅଶୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା। କିନ୍ତୁ ପରେ ସିବିଆଇ ତଦନ୍ତଭାର ନେବାପରେ ହତ୍ୟାକାଣ୍ଡରେ ସ୍କୁଲ୍‌ର ଜଣେ ଏକାଦଶ ଶ୍ରେଣୀ ଛାତ୍ରର ସମ୍ପୃକ୍ତି ଥିବା କହି ମାମଲାକୁ ଭିନ୍ନ ମୋଡ଼ ଦେଇଛି। ସେହିପରି ଗିରଫଦାରିକୁ ଏଡ଼ାଇବା ପାଇଁ ର‍୍ୟାନ୍‌ ସ୍କୁଲ୍‌ର ୩ ଜଣ ମାଲିକ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। କିନ୍ତୁ ସେମାନଙ୍କ ଜାମିନ ଆବେଦନକୁ ରଦ୍ଦ କରିବା ପାଇଁ ପ୍ରଦ୍ୟୁମ୍ନର ବାପା ବରୁଣ ଠାକୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାପରେ ସୁପ୍ରିମକୋର୍ଟ ଏହି ଘଟଣାରେ ସିବିଆଇର ମତାମତ ଲୋଡ଼ି ସିବିଆଇକୁ ନୋଟିସ ଜାରି କରିଥିଲେ।

ସମ୍ବନ୍ଧିତ ଖବର