ଏସ୍‌-୪୦୦ ଚୁକ୍ତିରୁ ଓହରିବନି ଭାରତ : ଆମେରିକାକୁ ସ୍ପଷ୍ଟ କଲା ଭାରତ, ଦେଶର ସୁରକ୍ଷା ପାଇଁ ଯାହା ଆବଶ୍ୟକ କରାଯିବ

ଭାରତର ତେଲ ସ୍ୱାର୍ଥର ସୁରକ୍ଷା କରିବ ଆମେରିକା

ନୂଆଦିଲ୍ଲୀ : ଦିଲ୍ଲୀ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌.ଜୟଶଙ୍କରଙ୍କ ମଧ୍ୟରେ ଆଜି ବିଭିନ୍ନ ଦ୍ବିପାକ୍ଷିକ ଏବଂ ଅନ୍ତର୍ଜାତୀୟ ମାମଲାରେ ଆଲୋଚନା ହୋଇଛି। ଏହି ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ସ୍ପଷ୍ଟ ଭା‌ଷାରେ ଆ‌େମରିକାକୁ ଜଣାଇ ଦେଇଛନ୍ତି ଯେ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଏସ୍‌-୪୦୦ ହାସଲ କରିବା ପାଇଁ ରୁଷ୍‌ ସହ ଯେଉଁ ଚୁକ୍ତି ହୋଇଛି ସେଥିରୁ ଭାରତ ଓହରିବ ନାହିଁ। ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ ବୋଲି ବିଦେଶ ମନ୍ତ୍ରୀ ଜୟଶଙ୍କର ପମ୍ପିଓଙ୍କୁ ଜଣାଇ ଦେଇଛନ୍ତି। ଭାରତ ତା’ର ଜାତୀୟ ସୁରକ୍ଷା ଦୃଷ୍ଟିରୁ ପ୍ରତିରକ୍ଷା ନୀତିରେ କୌଣସି ସାଲିସ କରିବ ନାହିଁ। ଆତଙ୍କବାଦ ବିରୋଧରେ ଚାଲିଥିବା ଲଢ଼େଇରେ ଭାରତକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସମର୍ଥନକୁ ଜୟଶଙ୍କର ପ୍ରଶଂସା କରିଥିଲେ।

ଆଲୋଚନା ପରେ ପମ୍ପିଓ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତିି ଯେ ଭାରତର ବୈଦେଶିକ ମନ୍ତ୍ରୀଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ତାଙ୍କର ଆଲୋଚନା ହୋଇଛି। ଦୁଇ ଦେଶ ମଧ୍ୟରେ କେତେକ ମତପାର୍ଥକ୍ୟ ରହିବା ସ୍ବାଭାବିକ। ଇରାନ ଉପରେ କଟକଣା ଯୋଗୁଁ ଭାରତ ସେହିଦେଶରୁ ତେଲ ଆମଦାନୀ ବନ୍ଦ କରିଛି। ତେବେ ଭାରତ ତେଲ କଟକଣା ‌େଯାଗୁଁ ଯେମିତି କ୍ଷତିଗ୍ରସ୍ତ ନହୁଏ ସେଥିପ୍ରତି ଆମେରିକା ଦୃଷ୍ଟି ଦେବ। ସେ କହିଲେ ‌େଯ ଗତ ନଭେମ୍ବରରୁ ମଇ ମାସ ମଧ୍ୟରେ ଭାରତ ଆମେରିକାରୁ ଦିନକୁ ୧ ଲକ୍ଷ ୮୪ ହଜାର ବାରେଲ ତେଲ ଆମଦାନୀ କରିଛି। ପୂର୍ବବର୍ଷ ଏହି ସମୟରେ ଭାରତ ଦିନକୁ ୪୦ ହଜାର ବାରେଲ ଆମଦାନୀ କରୁଥିଲା। ଭାରତ ହେଉଛି ବିଶ୍ବର ତୃତୀୟ ବୃହତ୍ ତେଲ ଆମଦାନକାରୀ ରାଷ୍ଟ୍ର। ଇରାନ୍ ପ୍ରସଙ୍ଗରେ ପମ୍ପିଓ କହିଛନ୍ତି ଯେ ଇରାନ୍‌ ବିଶ୍ବରେ ଆତଙ୍କବାଦର ସବୁଠାରୁ ବଡ଼ ସମର୍ଥକ ସାବ୍ୟସ୍ତ ହୋଇଛି। ଆତଙ୍କବାଦର ମୁକାବିଲା କ୍ଷେତ୍ରରେ ଭାରତ-ଆମେରିକା ମିଳିତ ଭାବେ କାର୍ଯ୍ୟ କରୁଥିବାରୁ ଏହା ବିଶ୍ବ ପାଇଁ ଆଶ୍ବସ୍ତିର କାରଣ। କେତେକ ବାଣିଜ୍ୟିକ ପ୍ରସଙ୍ଗରେ ମତ ପାର୍ଥକ୍ୟ ସତ୍ତ୍ବେ ଭାରତ ଆମର ଶ୍ରେଷ୍ଠ ବନ୍ଧୁ ବୋଲି ସେ କହିଛନ୍ତି।

ଇତିମଧ୍ୟରେ ଏଠାରେ ଆଜି କାର୍ଯ୍ୟକ୍ରମରେ ଯୋଗ ଦେଇ ପମ୍ପିଓ ଧାର୍ମିକ ସ୍ବାଧୀନତା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ଯେ ଭାରତ ଏହାକୁ ସମ୍ମାନ ଦେବା ଉଚିତ। କେବଳ ଭାରତ ନୁହେଁ ସମଗ୍ର ବିଶ୍ବ ଏହାକୁ ଗୁରୁତ୍ବ ଦେବା ଉଚିତ। ଯେତେବେଳେ ଏହି ସ୍ବାଧୀନତାକୁ କ୍ଷୁଣ୍ଣ କରାଯାଏ ସେତେବେଳେ ବିଶ୍ବରେ ଅଶାନ୍ତି ଦେଖାଯାଏ। ସୂଚନାଯୋଗ୍ୟ ଯେ ଗତ ସପ୍ତାହ ଆମେରିକା ଏକ ରିପୋର୍ଟ ଜାରି କରି ଭାରତରେ ଧାର୍ମିକ ଅସହିଷ୍ଣୁତା ନେଇ ଉଦବେଗ ପ୍ରକାଶ କରିଥିଲା। ତେବେ ଭାରତ ଏହାର ଖଣ୍ଡନ କରିଥିଲା।

ସମ୍ବନ୍ଧିତ ଖବର