ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ସିବିଆଇ ବିଚାରପତି ବ୍ରଜଗୋପାଳ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁକୁ ଏକ ଗମ୍ଭୀର ମାମଲା ବୋଲି କହିଛନ୍ତି। ତଥାକଥିତ ସୋହରାବୁଦ୍ଦିନ ମିଥ୍ୟା ଏନ୍କାଉଣ୍ଟର ମାମଲାର ବିଚାର କରୁଥିବା ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ସ୍ୱାଧୀନ ତଦନ୍ତ ନେଇ ହୋଇଥିବା ଏକ ଆବେଦନର ଶୁଣାଣି କରି କୋର୍ଟ ଆଜି ମହାରାଷ୍ଟ୍ର ସରକାରଙ୍କ ମତାମତ ଲୋଡ଼ିଛନ୍ତି। ଏହି ହାଇପ୍ରୋଫାଇଲ ମାମଲାରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଏବଂ ଗୁଜରାଟର ଅନେକ ବରିଷ୍ଠ ଅଧିକାରୀ ଅଭିଯୁକ୍ତ ଅଛନ୍ତି। ଜାନୁଆରି ୧୫ରେ ପରବର୍ତ୍ତୀ ଶୁଣାଣି ସୁଦ୍ଧା ମହାରାଷ୍ଟ୍ର ସରକାର ମତାମତ ରଖିବାକୁ କୋର୍ଟ କହିଛନ୍ତି। ମହାରାଷ୍ଟ୍ରର ଜଣେ ସାମ୍ବାଦିକ ବି.ଆର୍ ଲୋନ୍ ଜଷ୍ଟିସ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ପାଇଁ ଆବେଦନ କରିଥିଲେ। ଗତକାଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ ଖାନଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କ ଖଣ୍ଡପୀଠରେ ଲୋନ୍ଙ୍କ ଆବେଦନର ଶୁଣାଣି ହୋଇଥିଲା। ୨୦୧୪ ମସିହା ଡିସେମ୍ବର ୧ ତାରିଖରେ ଲୋୟା ତାଙ୍କର ଜଣେ ସହକର୍ମୀଙ୍କ ଝିଅର ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସୋହରାବୁଦ୍ଦିନ୍ ଏନ୍କାଉଣ୍ଟର ମାମଲାର ବିଚାରପ୍ରକ୍ରିୟା ସହ ଲୋୟାଙ୍କ ରହସ୍ୟଜନକ ମୃତ୍ୟୁର ସଂପର୍କ ରହିଛି ବୋଲି ଗତବର୍ଷ ନଭେମ୍ବର ମାସରେ ଏକ ରିପୋର୍ଟ ପ୍ରକାଶ ପାଇବାପରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା।
ଲୋୟାଙ୍କ ପରିବାର ଅଭିଯୋଗ କରିଥିଲେ, ଅମିତଙ୍କ ସପକ୍ଷରେ ରାୟ ଦେବାଲାଗି ତାଙ୍କୁ ଶହେ କୋଟି ଯଚାଯାଇଥିଲା। ଏହାକୁ ନେଇ ସେ ବିଚଳିତ ଥିଲେ। ପରେ ଏକ ଭୋଜିସଭାରେ ତାଙ୍କର ମୃତ୍ୟୁ ଘଟିଥିଲା।
ସଠିକ୍ ତଦନ୍ତ ଦାବିକଲେ ରାହୁଲ
ନୂଆଦିଲ୍ଲୀ: ସୁପ୍ରିମ୍ କୋର୍ଟର ୪ ଜଣ ବିଚାରପତିଙ୍କ ଦ୍ୱାରା ପ୍ରଧାନ ବିଚାରପତିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଅଣାଯିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେମାନଙ୍କ ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ବିଚାରପତି ଲୋୟାଙ୍କ ମୃତ୍ୟୁ ମାମଲାର ସଠିକ୍ ଯାଞ୍ଚ ହେବା ଆବଶ୍ୟକ ବୋଲି ରାହୁଲ କହିଛନ୍ତି। ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା ଏବଂ ଏହା ଏକ ଅଭୂତପୂର୍ବ ମାମଲା ବୋଲି ସେ କହିଛନ୍ତି। ରାହୁଲ ଗଣମାଧ୍ୟମକୁ ବୟାନ ଦେବା ପୂର୍ବରୁ ତାଙ୍କ ବାସଭବନରେ କଂଗ୍ରେସ ନେତାଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ବରିଷ୍ଠ ଆଇନଜୀବୀ ନେତାମାନେ ମଧ୍ୟ ଏଥିରେ ଅଂଶ ଗ୍ରହଣ କରି ସେମାନଙ୍କ ମତ ରଖିଥିଲେ।