ଜାତିସଂଘ: ବିଶ୍ବ ପାକିସ୍ତାନକୁ ଆତଙ୍କବାଦର କେନ୍ଦସ୍ଥଳ ରୂପେ ଦେଖେ ଏବଂ ଦୁଇ ବର୍ଷରୁ ଅଧିକ ସମୟ ଧରି କୋଭିଡ୍-୧୯ଜନିତ ଗୋଳମାଳିଆ ପରିସ୍ଥିତି ସତ୍ତ୍ବେ ବିପଦ କେଉଁଠୁ ସୃଷ୍ଟି ହେଉଛି ଆନ୍ତର୍ଜାତିକ ସମ୍ପ୍ରଦାୟ ଭୁଲି ନାହାନ୍ତି ବୋଲି ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଗୁରୁତ୍ବାରୋପ କରି କହିଛନ୍ତି।
‘ବୈଶ୍ବିକ ଆତଙ୍କବାଦ ମୁକାବିଲା ଆଭିମୁଖ୍ୟ: ଆହ୍ବାନ ଓ ପଦକ୍ଷେପ’ (ଗ୍ଲୋବାଲ୍ କାଉଣ୍ଟର୍ଟେରରିଜମ୍ ଆପ୍ରୋଚ୍: ଚାଲେଞ୍ଜ୍ ଆଣ୍ଡ୍ ୱେ ଫର୍ୱାର୍ଡ) ବିଷୟରେ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଦସ୍ତଖତ ସଂଗ୍ରହ ଅଧିବେଶନରେ ଅଧ୍ୟକ୍ଷତା କରିବା ପରେ ଜାତିସଂଘ ନିରାପତ୍ତା ପରିଷଦ୍ରେ ସାମ୍ବାଦିକମାନଙ୍କୁ ଉଦ୍ବୋଧନ ଦେବା ବେଳେ ଜୟଶଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି।
ହିଲାରି କ୍ଲିଣ୍ଟନ୍ଙ୍କ ମନ୍ତବ୍ୟ ସ୍ମରଣ କରି ଜୟଶଙ୍କର କହିଛନ୍ତି, ଦଶନ୍ଧି ତଳେ ପାକିସ୍ତାନ ଗସ୍ତ ସମୟରେ ହିଲାରି କ୍ଲିଣ୍ଟନ୍ କହିଥିଲେ ଯେ, ବାଡ଼ିରେ ସାପ ରଖିଲେ ସେମାନେ କେବଳ ପଡ଼ୋଶୀଙ୍କୁ କାମୁଡ଼ିବେ ବୋଲି ଆଶା କରିବା ଅନୁଚିତ।
ପାକିସ୍ତାନ ମୋ ଉପଦେଶ ଗ୍ରହଣ କରୁନାହିଁ ବୋଲି ଜାଣିଛି। ବିଶ୍ବ ଯେ, ପାକିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳ ରୂପେ ଦେଖୁଛି। ପାକିସ୍ତାନ କେତେ ଦିନ ଆତଙ୍କବାଦ ଚଳାଇବ ତାହା ପାକିସ୍ତାନରେ ଥିବା ମନ୍ତ୍ରୀମାନେ କହିପାରିବେ। ବିଶ୍ବ ବୁଦ୍ଦୁ ନୁହେଁ। ଆତଙ୍କବାଦ ମୁକାବିଲା ନିମନ୍ତେ ବିଶ୍ବ ଏବେ ଅନେକ ଦେଶଙ୍କୁ ଏକଜୁଟ କରୁଛି। ମୋର ପରାମର୍ଶ ହେଉଛି ଭଲ ଆଚାର ବ୍ୟବହାର କରି ଉତ୍ତମ ପଡ଼ୋଶୀ ହେବା ପାଇଁ ଚେଷ୍ଟା କର ବୋଲି ଜୟଶଙ୍କର କହିଛନ୍ତି।
ଉଦ୍ବୋଧନ ଦେବା ବେଳେ ସେ ଜାତିସଂଘ ସୁରକ୍ଷା ପରିଷଦ୍କୁ ମଧ୍ୟ କହିଛନ୍ତି ଯେ, ‘ଆତଙ୍କବାଦର ସମସାମୟିକ କେନ୍ଦ୍ରସ୍ଥଳ’ ଖୁବ୍ ସକ୍ରିୟ ରହୁଛି। ଚୀନ୍ ଓ ତା’ର ଘନିଷ୍ଠ ବନ୍ଧୁ ପାକିସ୍ତାନକୁ ପରୋକ୍ଷରେ ସମାଲୋଚନା କରି ସେ ପୁଣି କହିଛନ୍ତି ଯେ, ଆତଙ୍କବାଦୀଙ୍କୁ କଳାତାଲିକାଭୁକ୍ତ କରିବା ଲାଗି ଆଗତ ପ୍ରମାଣଭିତ୍ତିକ ପ୍ରସ୍ତାବକୁ ବିନା କାରଣରେ ସ୍ଥଗିତ ରଖାଗଲା।