ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଭାରତର ନୀତି ଅସ୍ଥିର ବୋଲି କହିଥିଲେ ବାଇଡେନ୍‌, ଏଭଳି ପ୍ରତିକ୍ରିୟା ଦେଲେ ଏସ ଜୟଶଙ୍କର

ନୂଆଦିଲ୍ଲୀ: ୟୁକ୍ରେନ୍‌ ଯୁଦ୍ଧ ପ୍ରସଙ୍ଗରେ ଭାରତର ନୀତି ଅସ୍ଥିର ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ। ଆମେରିକାର ପ୍ରବଳ ଚାପ ସତ୍ତ୍ବେ ଭାରତ ନିଜର ବନ୍ଧୁ ରାଷ୍ଟ୍ର ରୁଷ୍‌ ବିରୋଧରେ କୌଣସି ବୟାନ ଦେଉନଥିବାରୁ କ୍ଷୁବ୍ଧ ବାଇଡେନ୍‌ ଏଭଳି ମନ୍ତବ୍ୟ ରଖିଥିଲେ। ଏବେ ବାଇଡେନଙ୍କ ଏଭଳି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ରାଜ୍ୟସଭାରେ ତାଙ୍କୁ ଏକ ଲିଖିତ ପ୍ରଶ୍ନ ପଚରାଯାଇଥିଲା କି, ବଇେଡେନଙ୍କ ମନ୍ତବ୍ୟ ଆମେରିକା-ଭାରତ ବାଣିଜ୍ୟ ଉପରେ ପ୍ରଭାବ ପକାଇବ କି?

ଏହାର ଉତ୍ତର ଦେଇ ଜୟଶଙ୍କର କହିଥିଲେ ଯେ, ୟୁକ୍ରେନର ପରିସ୍ଥିତି ଏବଂ ଆମେରିକା-ଭାରତ ବାଣିଜ୍ୟ ପ୍ରସଙ୍ଗକୁ ଯୋଡିବାର କୌଣସି ଆବଶ୍ୟକତା ନାହିଁ। ୟୁକ୍ରେନକୁ ନେଇ ଆମର ନୀତି ବହୁତ ସ୍ପଷ୍ଟ ଅଟେ। ଆମେ ହିଂସା ଏବଂ ସମସ୍ତ ପ୍ରକାରର ଶତ୍ରୁତାକୁ ତୁରନ୍ତ ସମାପ୍ତ କରିବାକୁ ଆହ୍ବାନ ଦେଇଛୁ। ଆମେ ଶାନ୍ତିକୁ ସମର୍ଥନ କରୁଛୁ। କଥାବାର୍ତ୍ତା ଏବଂ କୂଟନୈତିକ ପଥକୁ ଫେରିବା ବ୍ୟତୀତ ଯୁଦ୍ଧକୁ ଶେଷ କରିବାର ଅନ୍ୟ କୌଣସି ଉପାୟ ନାହିଁ ବୋଲି ଆମେ ଭାବୁଛୁ। ୟୁକ୍ରେନରେ ଉପରେ ଆକ୍ରମଣ ହେଉଥିବା ବେଳେ ଆମେ ଯେତିକି ସାହାଯ୍ୟ ଯୋଗାଇବା ଦରକାର, ତାହା ଯୋଗାଇଛୁ। ଭାରତ ଆରମ୍ଭରୁ ନିଜର ନୀତି ସ୍ପଷ୍ଟ ରଖିଛି।

ସୂଚନାଯୋଗ୍ୟ, କ୍ବାଡ୍‌ ରାଷ୍ଟ୍ରମାନଙ୍କ ମଧ୍ୟରେ କେବଳ ଭାରତକୁ ଛାଡ଼ିଦେଲେ ଅନ୍ୟ ରାଷ୍ଟ୍ରମାନେ ରୁଷ୍‌ ବିରୋଧରେ ଆଭିମୁଖ୍ୟ କଠୋର କରିଛନ୍ତି। କିନ୍ତୁ ଭାରତ ଏହାର ନାଗରିକଙ୍କ ସୁରକ୍ଷା ଉପରେ ଫୋକସ୍‌ କରିଥିଲା ଏବଂ ଯୁଦ୍ଧ ପ୍ରବଣ ୟୁକ୍ରେନ୍‌ରୁ ଏହାର ନାଗରିକଙ୍କୁ ଖାଲି କରିବା ଉପରେ ଗୁରୁତ୍ବ ଦେଇଥିଲା। ପ୍ରତି ପ୍ଲାଟଫର୍ମ‌୍‌ରେ ଭାରତ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧର ସମାଧାନ ପାଇଁ ବାରମ୍ବାର ଅନୁରୋଧ କରିଥିଲା।

ସମ୍ବନ୍ଧିତ ଖବର