ନୂଆଦିଲ୍ଲୀ: କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ତାଙ୍କର ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ପିତା ଡ଼. କେ ସୁବ୍ରମଣ୍ୟମ କେନ୍ଦ୍ର ସଚିବ ଥିବାବେଳେ ଇନ୍ଦିରା ଗାନ୍ଧୀ ହଟାଇ ଦେଇଥିଲେ । ଏହା ସହ ସେ କହିଛନ୍ତି ଯେ ରାଜୀବ ଗାନ୍ଧୀ ତାଙ୍କ ପିତାଙ୍କ ସ୍ଥାନରେ ଜଣେ ଜୁନିଅରଙ୍କୁ ନିଯୁକ୍ତ କରିଥିଲେ । ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଜୟଶଙ୍କର କହିଛନ୍ତି ଯେ ସେ ଅମଲାତନ୍ତ୍ର ପରିବାରରୁ ଆସିଛନ୍ତି ଏବଂ ଅପ୍ରତ୍ୟାଶିତ ଭାବରେ ୨୦୧୯ରେ ସେ କେନ୍ଦ୍ର ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ସେ କହିଛନ୍ତି ଯେ ୧୯୮୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ କ୍ଷମତାକୁ ଫେରିବା ପରେ ତାଙ୍କ ପିତା ଡକ୍ଟର କେ ସୁବ୍ରମଣ୍ୟମଙ୍କୁ ପ୍ରତିରକ୍ଷା ଉତ୍ପାଦନ ସଚିବ ପଦରୁ ହଟାଇ ଦିଆଯାଇଥିଲା। ଜୟଶଙ୍କର କହିଛନ୍ତି ଯେ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ଜଣେ ଜୁନିଅର ବ୍ୟକ୍ତିଙ୍କୁ ତାଙ୍କ ପିତାଙ୍କୁ ହଟାଇ କ୍ୟାବିନେଟ ସଚିବ କରାଯାଇଥିଲା। ଜୟଶଙ୍କର ଜାନୁଆରୀ ୨୦୧୫ ରୁ ଜାନୁୟାରୀ ୨୦୧୮ ପର୍ଯ୍ୟନ୍ତ ବୈଦେଶିକ ସଚିବ ପଦରେ ଥିଲେ।
ଏହାପୂର୍ବରୁ ସେ ଚୀନ୍ ଏବଂ ଆମେରିକା ଭଳି ଦେଶରେ ରାଷ୍ଟ୍ରଦୂତ ପଦରେ କାର୍ଯ୍ୟ କରିଥିଲେ। ତାଙ୍କ ପିତାଙ୍କର ୨୦୧୧ ମସିହାରେ ଦେହାନ୍ତ ହୋଇଯାଇଛି | କେ ସୁବ୍ରମଣ୍ୟମଙ୍କ ନାମ ଭାରତର ପ୍ରମୁଖ ଜାତୀୟ ସୁରକ୍ଷା ରଣନୀତିଜ୍ଞ ଭାବରେ ନିଆଯାଇଥାଏ । ଜୟଶଙ୍କର କହିଛନ୍ତି, “ମୁଁ ସବୁଠାରୁ ଭଲ ବୈଦେଶିକ ସେବା ଅଧିକାରୀ ହେବାକୁ ଚାହୁଁଥିଲି। ମୁଁ ଏହାକୁ ଚାପ ବୋଲି କହିବି ନାହିଁ କିନ୍ତୁ ଅମଲାତନ୍ତ୍ରରେ ଥିବା ମୋ ବାପା ସଚିବ ହୋଇଥିଲେ ମଧ୍ୟ ତାଙ୍କୁ ଏହି ପଦବୀରୁ ହଟାଇ ଦିଆଯାଇଥିଲା। ସେହି ସମୟରେ, ୧୯୭୯ରେ, ସେ ବୋଧହୁଏ ଜନତା ସରକାରରେ ସର୍ବ କନିଷ୍ଠ ସଚିବ ହୋଇଥିଲେ। ୧୯୮୦ରେ, ସେ ପ୍ରତିରକ୍ଷା ଉତ୍ପାଦନ ସଚିବ ଥିଲେ। ୧୯୮୦ ରେ ଯେତେବେଳେ ଇନ୍ଦିରା ଗାନ୍ଧୀ ପୁନର୍ବାର ନିର୍ବାଚିତ ହୋଇଥିଲେ, ସେତେବେଳେ ସେ ତାଙ୍କୁ ହଟାଇ ଦେଇଥିଲେ | ସେ ସବୁଠାରୁ ଶିକ୍ଷିତ ବ୍ୟକ୍ତି ଥିଲେ, ପ୍ରତିରକ୍ଷା ବିଭାଗର ସମସ୍ତେ ଏହା କହିବେ। ”ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ଯେ ତାଙ୍କ ପିତା ଜଣେ ସଚ୍ଚୋଟ ବ୍ୟକ୍ତି। ସେ କହିଛନ୍ତି, ବୋଧହୁଏ ସେଥିପାଇଁ ସମସ୍ୟା ଘଟିଛି, ମୁଁ ଜାଣେ ନାହିଁ।