କୋଚି: କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିରକୁ ଦର୍ଶନ ଉଦ୍ଦେଶ୍ୟରେ ଯିବାକୁ ଇଚ୍ଛୁକ ଥିବା ବିନ୍ଦୁ ଆମିନୀ ନାମ୍ନୀ ଜନୈକା ମହିଳା ଶ୍ରଦ୍ଧାଳୁ ତାଙ୍କୁ ସୁରକ୍ଷା ଯୋଗାଇଦେବାକୁ ଅନୁରୋଧ କରିବା ପାଇଁ ଆଜି ପୁଲିସ୍ କମିଶନରଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ତାଙ୍କୁ ବିରୋଧ କରି ହିନ୍ଦୁ ଐକ୍ୟ ବେଦୀର ଜନୈକ କର୍ମୀ ତାଙ୍କ ଉପରକୁ ଗୋଲମରିଚ ସ୍ପ୍ରେ ପକାଇ ତାଙ୍କ ଉପରେ ଆକ୍ରମଣ କରିବା ଘଟଣାକୁ କେନ୍ଦ୍ର କରି ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଆକ୍ରମଣରେ ଗୁରୁତର ହୋଇପଡ଼ିଥିବା ସଂପୃକ୍ତା ମହିଳା ଶ୍ରଦ୍ଧାଳୁ ଆମିନୀଙ୍କୁ ଏବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।
ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ମହିଳା ଶ୍ରଦ୍ଧାଳୁ ଆମିନୀ ଆଜି ସବରିମାଲା ମନ୍ଦିରରେ ପହଞ୍ଚିଥିବା ବେଳେ ତାଙ୍କର ମନ୍ଦିର ପ୍ରବେଶକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ମହିଳା ସାମାଜିକ କର୍ମୀ ତୃପ୍ତି ଦେଶାଇ ଓ ଅନ୍ୟ ଛଅ ଜଣ ମହିଳାଙ୍କୁ ସେ ସଙ୍ଗରେ ଧରି ତାଙ୍କୁ ମନ୍ଦିର ପ୍ରବେଶ ନିମନ୍ତେ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିବା ପାଇଁ ସେ ପୁଲିସ୍ କମିଶନରଙ୍କ କାର୍ଯ୍ୟାଳୟକୁ ଯାଉଥିଲେ। ତେବେ, ଏ ଘଟଣା ଜାଣିବା ପରେ ହିନ୍ଦୁ ଐକ୍ୟ ବେଦୀର ଜନୈକ କର୍ମୀ ତାଙ୍କ ଉପରେ ଆକ୍ରମଣ କରିଥିଲେ।