ନୂ୍ଆଦିଲ୍ଲୀ: ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି ଗତବର୍ଷ ସୁପ୍ରିମକୋର୍ଟ ଦେଇଥିବା ଗୁରୁତ୍ବପୂର୍ଣ୍ଣ ରାୟକୁ ବିରୋଧ କରି ସୁପ୍ରିମକୋର୍ଟରେ ହୋଇଥିବା ରିଭ୍ୟୁ ପିଟିସନ୍ ଉପରେ ଆଜି ଶୁଣାଣି ଥିଲା। ସାମ୍ବିଧାନିକ ଖଣ୍ଡପୀଠ ଏହି ପିଟିସନ୍ ଗୁଡ଼ିକର ଶୁଣାଣି କରିବା ସହ ଉକ୍ତ ମାମଲାରେ ରାୟ ସଂରକ୍ଷିତ ରଖିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଥିଲେ। ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍ ଆର ଏଫ୍ ନରିମାନ୍, ଏ ଏମ୍ ଖାନ୍ୱିଲକର, ଡି ୱାଇ ଚନ୍ଦ୍ରଚୁଡ଼ ଏବଂ ଇନ୍ଦୁ ମାଲହୋତ୍ରା ଥିଲେ। ଜଣାଯାଇଛି ଯେ ପାଖାପାଖି ୬୦ରୁ ଅଧିକ ରିଭ୍ୟୁ ପିଟିସନ୍ ଉପରେ ଆଜି ଖଣ୍ଡପୀଠ ଶୁଣାଣି କରିଥିଲେ। ଏଥି ମଧ୍ୟରୁ ଅଧିକାଂଶ ପିଟିସନ୍ରେ କୋର୍ଟଙ୍କ ପୂର୍ବ ରାୟ ଉପରେ ପୁନର୍ବିଚାର କରିବାପାଇଁ କୁହାଯାଇଥିଲା। ଅନ୍ୟପକ୍ଷେ ଆଜି କେରଳ ସରକାର ରିଭ୍ୟୁ ପିଟିସନ୍କୁ ବିରୋଧ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟର ପୁର୍ନବିଚାର କରିବାର କୌଣସି ଆବଶ୍ୟକତା ନାହିଁ ବୋଲି କେରଳ ସରକାର କହିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି କୋର୍ଟରେ କୁହାଯାଇଥିଲା ଯେ ଯଦିଓ ସୁପ୍ରିମକୋର୍ଟଙ୍କ ରାୟ ପରେ ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଉପୁଜିଛି କିନ୍ତୁ ଏହାର ମାନେ ନୁହେଁ ଯେ ଅସାମ୍ବିଧାନିକ ପ୍ରଥାକୁ ଅନୁମତି ଦିଆଯିବ। ଅନେକ ଅନୁଷ୍ଠାନ ଗୁଡ଼ିକ ସୁପ୍ରିମକୋର୍ଟଙ୍କ ପୂର୍ବ ରାୟ ଉପରେ ପୁର୍ନବିଚାର କରିବାପାଇଁ ଆଜି ଖଣ୍ଡପୀଠଙ୍କୁ ଅନୁରୋଧ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ଆସୁଥିବା ‘ଟ୍ରାଭାନ୍କୋର ଦେବସ୍ବମ ବୋର୍ଡ’ ଆଜି କୋର୍ଟରେ ୟୁ-ଟର୍ନ ନେଇଛି। ବୋର୍ଡ ଆଜି ଖଣ୍ଡପୀଠକୁ କହିଛି ଯେ ସବରିମାଳା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ଏହାର କୌଣସି ଆପତ୍ତି ନାହିଁ। ସବରିମାଳାକୁ ନିକଟରେ ପ୍ରବେଶ କରିଥିବା ୨ ଜଣ ମହିଳାଙ୍କ ପକ୍ଷରୁ ଆଜି କୋର୍ଟରେ ଉପସ୍ଥିତ ଥିବା ବିଚାରପତି ଇନ୍ଦିରା ଜୈଶିଙ୍ଗ୍ କହିଥିଲେ ଯେ ଏହା କେବଳ ମନ୍ଦିରକୁ ମହିଳାମାନଙ୍କୁ ନିଷିଦ୍ଧ କରିନି ବରଂ ଏହା ଏକ ସାମାଜିକ ବାସନ୍ଦ।
କେନ୍ଦ୍ର ଆଇନ ଆଣିବା ଉଚିତ: ଥରୁର୍
ନୂଆଦିଲ୍ଲୀ: କଂଗ୍ରେସ ନେତା ଶଶି ଥରୁର୍ ଆଜି ସବରିମାଳା ମନ୍ଦିର ପ୍ରସଙ୍ଗରେ ଏକ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ରଖି କହିଛନ୍ତି ଯେ ଧାର୍ମିକ ସ୍ଥଳୀମାନଙ୍କରେ ସ୍ବାଧୀନତାକୁ ସୁରକ୍ଷା ଦେବାପାଇଁ କେନ୍ଦ୍ର ସରକାର ଆଇନଗତ ପ୍ରକ୍ରିୟା ଆରମ୍ଭ କରିବା ଉଚିତ୍। କେବଳ ଏକ ଆଇନ ହିଁ ସବରିମାଳା ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଅକାମୀ କରିପାରିବ ଏବଂ ଏହାଦ୍ବାରା ଆନ୍ଦୋଳନକାରୀମାନେ ଶାନ୍ତ ପଡ଼ିବେ ବୋଲି ଥରୁର୍ ଲୋକସଭାରେ ପ୍ରଶ୍ନକାଳରେ ସବରିମାଳା ପ୍ରସଙ୍ଗ ଉଠାଇ କହିଛନ୍ତି। ନ୍ୟାୟିକ ପଦ୍ଧତିରେ ସୁପ୍ରିମକୋର୍ଟଙ୍କ ରାୟର ସମୀକ୍ଷା କରାଯାଇ ଉକ୍ତ ସମସ୍ୟାର ସମାଧାନ କରାଯାଇପାରେ କିମ୍ବା ଉକ୍ତ ମାମଲାରେ ଏକ ଆଇନ ଆଣି ମଧ୍ୟ ଏହି ସମସ୍ୟାକୁ ସମାଧାନ କରାଯାଇପାରେ ବୋଲି ଥରୁର୍ କହିଛନ୍ତି।
ମନ୍ଦିର ବୋର୍ଡର ୟୁ-ଟର୍ନ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ସବରିମାଳା ରାୟକୁ ଆରମ୍ଭରୁ ଜୋରଦାର ବିରୋଧ କରି ଆସୁଥିବା ସବରିମାଳା ମନ୍ଦିର ବୋର୍ଡ ତଥା ‘ଟ୍ରାଭାନ୍କୋର ଦେବସ୍ବମ ବୋର୍ଡ’ (ଟିଡିବି) ଆଜି ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ୟୁ-ଟର୍ନ ନେଇଛି। ବୋର୍ଡ ଆଜି କୋର୍ଟରେ ସମ୍ପୂର୍ଣ୍ଣ ଭାବେ ନିଜ ମତ ବଦଳାଇ ଦେଇଛି। ବୋର୍ଡ ପକ୍ଷରୁ ଆଜି କୋର୍ଟରେ କୁହାଯାଇଛି ଯେ ଏହା ସୁପ୍ରିମକୋର୍ଟଙ୍କ ରାୟକୁ ସମର୍ଥନ କରୁଛି ଏବଂ ସବରିମାଳାକୁ ସବୁ ବୟସର ମହିଳାଙ୍କ ପ୍ରବେଶକୁ ବିରୋଧ ନକରିବାପାଇଁ ଲୋକମାନଙ୍କୁ ଅନୁରୋଧ କରୁଛି। ତେବେ ଏଭଳି ଏକ ବିଷୟ ଆଜି ବିଚାରପତିମାନଙ୍କୁ ଆଚମ୍ବିତ କରିବା ସହ ଅନ୍ୟ ସମସ୍ତଙ୍କୁ ମଧ୍ୟ ଆଶ୍ଚର୍ଯ୍ୟାନ୍ବିତ କରିଦେଇଛି। ବୋର୍ଡ ପକ୍ଷରୁ ଆଜି ବରିଷ୍ଠ ଆଇନଜୀବୀ ରାକେଶ ଦ୍ବିବେଦୀ କୋର୍ଟରେ ଉପସ୍ଥିତ ଥିଲେ। ବୋର୍ଡର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରି ବିଚାରପତି ଇନ୍ଦୁ ମାଲହୋତ୍ରା ଦ୍ବିବେଦୀଙ୍କୁ ମନେ ପକାଇ ଦେଇଥିଲେ ଯେ ପୂର୍ବରୁ ବୋର୍ଡ ପକ୍ଷରୁ କୋର୍ଟଙ୍କ ରାୟକୁ ପ୍ରବଳ ବିରୋଧ କରାଯାଉଥିଲା। କିନ୍ତୁ ଦ୍ବିବେଦୀ କହିଥିଲେ ଯେ, କୋର୍ଟଙ୍କ ରାୟକୁ ସମ୍ମାନ ଦେବାପାଇଁ ବୋର୍ଡ ନିଷ୍ପତ୍ତି ନେଇଛି। ସମ୍ବିଧାନ ଅଧୀନରେ ସମାନତା ହିଁ ସବୁଠୁ ଗୁରୁତ୍ବପୂର୍ଣ୍ଣ। ଏଭଳି ଏକ ପ୍ରଥା ସମାନତା ଅଧିକାର ଉଲ୍ଲଂଘନ କରୁଛି। ତେଣୁ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ କରୁଛି ବୋଲି କୁହାଯାଇଥିଲା। ଉଲ୍ଲେଖଯୋଗ୍ୟ ଗତବର୍ଷ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ସବରିମାଳା ମନ୍ଦିରକୁ ସବୁ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଦେଇଥିଲେ।