ଇଡୁକ୍କି: ତାମିଲନାଡ଼ୁର ଆଣ୍ଡିପଟ୍ଟି ନିବାସୀ ୧୦ ଜଣ ଲୋକ ଏକ କାର୍‌ରେ କେରଳର ସାବରୀମାଲା ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ କୁମିଲି-କୁମ୍ବୁମ ରାସ୍ତାରେ ଇଡୁକ୍କିଠାରେ ଶୁକ୍ରବାର ରାତିରେ ଗାଡ଼ିଟି ଏକ ଖାଇ ଭିତରକୁ ଖସିପଡ଼ିବାରୁ ୮ ଜଣ ତୀର୍ଥଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଶୁକ୍ରବାର ରାତି ପ୍ରାୟ ୧୧ଟା ବେଳେ ଏହି ମର୍ମତୁଦ ଦୁର୍ଘଟଣା ଘଟିଥିଲା। ସରୁ ରାସ୍ତାର ଏକ ବାଙ୍କ ପାଖରେ ଗାଡ଼ିକୁ ବୁଲାଉଥିବା ବେଳେ ଅନଭିଜ୍ଞ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ ଏବଂ ୪୦ ଫୁଟ ଗଭୀର ଖାଇ ଭିତରକୁ ଗାଡ଼ିଟି ଗଳିପଡ଼ିଥିଲା। ୭ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆହତଙ୍କ ମଧ୍ୟରୁ ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା।