ତିରୁବନନ୍ତପୁରମ: ବୁଧବାର ଦିନ ଦୁଇ ଋତୁମତୀ ବୟସର ମହିଳା ପ୍ରବେଶ କରିବା ପରେ ଶୋଧନ ନିମନ୍ତେ ସାବରିମାଲା ମନ୍ଦିରକୁ ବନ୍ଦ କରାଯାଇଛି।
ପ୍ରଥମ କରି ୫୦ ବର୍ଷରୁ କମ୍ ବୟସ୍କ ଦୁଇ ଜଣ ମହିଳା କେରଳସ୍ଥିତ ପ୍ରଭୁ ଆୟପ୍ପାଙ୍କ ମନ୍ଦିରକୁ ପ୍ରବେଶ କରିଛନ୍ତି।
ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମ୍ କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ଏ ପରି ଘଟନା ଘଟିଛି।
#WATCH Two women devotees Bindu and Kanakdurga entered & offered prayers at Kerala's #SabarimalaTemple at 3.45am today pic.twitter.com/hXDWcUTVXA
— ANI (@ANI) January 2, 2019
ବିନ୍ଦୁ ନାମ୍ନା ଜଣେ ଓକିଲ ଓ କନକଦୁର୍ଗା ନାମ୍ନା ଜଣେ ସାମାଜିକକର୍ମୀ ଭୋର୍ ୩: ୪୫ ସମୟରେ ମନ୍ଦିରରେ ପ୍ରବେଶ କରି ପ୍ରଭୁ ଆୟପ୍ପାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଚାଳିଶୋତ୍ତର ସେ ମହିଳାଙ୍କ ସାଙ୍ଗରେ ପୁଲିସ ଅଧିକାରୀମାନେ ଯାଇଥିଲେ। ଦୁହେଁ ଡିସେମ୍ବର ୨୦୧୮ରେ ମନ୍ଦିର ମଧ୍ୟକୁ ଯିବାକୁ ଉଦ୍ୟମ କରି ପ୍ରତିବାଦ ଯୋଗୁଁ ବିଫଳ ହୋଇଥିଲେ।
ଘଟନା ସତ୍ୟ ବୋଲି କେରଳର ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ କହିଛନ୍ତି। ସେ କହିଛନ୍ତି: ମନ୍ଦିର ମଧ୍ୟକୁ ଯିବାକୁ ଚାହୁଁଥିବା ଯେ କୌଣସି ମହିଳାଙ୍କୁ ସବୁ ପ୍ରକାରର ସମ୍ଭାବ୍ୟ ପୁଲିସ ସହାୟତା ଯୋଗାଇ ଦେବାକୁ ଆମେ ଆଦେଶ ନାମା ଜାରି କରିଛୁ।
ଗୋଟିଏ ଭିଡିଓରେ ଦେଖାଯାଉଛି କଳାପୋଷାକ ପରିହିତା ଦୁଇ ମହିଳା ଦ୍ରୁତ ବେଗରେ ପୀଠ ଆଡ଼କୁ ମୁହାଁଇଛନ୍ତି। ମନ୍ତ୍ର ଓ ପ୍ରାର୍ଥନା ବୋଲାଯାଉଥିବା ଶବ୍ଦ ମନ୍ଦିର ପରିସରରୁ ଶୁଭୁଛି।
ସର୍ବଶେଷ ଖବର ଅନୁସାରେ, ଶୋଧନ ପରେ ପୁଣି ମନ୍ଦିର ଖୋଲିଛି।