ସାବରିମାଲା ମନ୍ଦିର କେବଳ ହିନ୍ଦୁମାନଙ୍କ ସକାଶେ ନୁହେଁ; ସବୁ ଧର୍ମର ବ୍ୟକ୍ତି ଏହି ମନ୍ଦିରକୁ ଆସିପାରିବେ: କେରଳ ହାଇକୋର୍ଟ

ତିରୁବନନ୍ତପୁରମ୍‌: ସାବରିମାଲା ମନ୍ଦିର ସଂପର୍କରେ ସୋମବାର କେରଳ ହାଇକୋର୍ଟ କହିଛନ୍ତି କିି ଏହା କେବଳ ହିନ୍ଦୁମାନଙ୍କ ମନ୍ଦିର ନୁହେଁ। ସବୁ ଧର୍ମର ବ୍ୟକ୍ତି ଏହି ମନ୍ଦିରକୁ ଆସିପାରିବେ। ଆସନ୍ତା ମାସ ଖୋଲିବାକୁ ଯାଉଥିବା ଏହି ମନ୍ଦିର ଚାରିପାଖରେ ସୁରକ୍ଷା ଦେବା ସକାଶେ କେରଳ ସରକାର ଯୋଜନା କରିବା ପରେ ହିନ୍ଦୁ ସାଂଗଠନିକ କର୍ମୀ ଟିଜି ମୋହନ ଦାସଙ୍କ ଦ୍ୱାରା ଦାୟର ହୋଇଥିବା ଏକ ଯାଚିକାର ଉତ୍ତରରେ କୋର୍ଟ ଏହା କହିଛନ୍ତି।

ଦାୟର ହୋଇଥିବା ଯାଚିକାରେ ଉଲ୍ଲେଖ କରାଯାଇଥିଲା ଯେ ହାଇକୋର୍ଟ ନିୟମ କରନ୍ତୁ ଯେ ମନ୍ଦିର କେବଳ ହିନ୍ଦୁ ଭକ୍ତମାନଙ୍କ ସକାଶେ ଖୋଲା ରହିବ। ମାତ୍ର କୋର୍ଟ ଏହାକୁ ସ୍ୱୀକାର କରିନାହାନ୍ତି। ସାବରିମାଲା ମନ୍ଦିର ସମସ୍ତଙ୍କ ସକାଶେ ଖୋଲା ରହିବ ବୋଲି କୋର୍ଟ ପ୍ରକାଶ କରିଛନ୍ତି। କୋର୍ଟ ଆହୁରି ବି କହିଛନ୍ତି କି ସାବରିମାଲା ମନ୍ଦିର ଭିତରକୁ ପ୍ରବେଶ କରିବା ପାଇଁ ପୂଜା ପାଇଁ ରହିଥିବା କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ନେବା ଆଉ ବାଧ୍ୟତାମୂଳକ ନୁହେଁ। ପୂର୍ବରୁ ମନ୍ଦିର ଭିତରକୁ ଯିବା ପାଇଁ ୧୮ ପହାଚ ଚଢ଼ିବାକୁ ଇଚ୍ଛା କରୁଥିବା ତୀର୍ଥଯାତ୍ରୀମାନଙ୍କୁ ଉକ୍ତ ସାମଗ୍ରୀ ନେଇ ଯିବା ବାଧ୍ୟତାମୂଳକ ଥିଲା।

ଉଲ୍ଲେଖଯୋଗ୍ୟ, ସାବରିମାଲା ମନ୍ଦିରକୁ ନେଇ ଉପୁଜିଥିବା ବିବାଦ ପାଇଁ ଇତିମଧ୍ୟରେ ସମୁଦାୟ ୩,୫୦୫ ଜଣ ଗିରଫ ହୋଇ ସାରିଛନ୍ତ, ୫୨୯ଟି ମାମଲା ଏନେଇ ରୁଜୁ ହୋଇସାରିଛି, ଦଙ୍ଗା ସୃଷ୍ଟି କରୁଥିବା ଆହୁରି ୪୨୦ ଜଣଙ୍କୁ ଖୋଜିବା ପାଇଁ ପୁଲିସ୍‌ ସେମାନଙ୍କ ଫଟୋ ଜାରି କରିଛି।

ସାବରିମାଲା ମନ୍ଦିରରେ ମହିଳାମାନଙ୍କୁ ସେମାନଙ୍କ ମାସିକଧର୍ମ ବୟସ ଯଥା ୧୦ରୁ ୫୦ ଭିତରେ ପ୍ରବେଶ କରିବାକୁ ଆୟାପ୍ପା ଭକ୍ତମାନେ ବାରଣ କରୁଥିବା ବେଳେ ନିକଟରେ ସୁପ୍ରିମ୍‌କୋର୍ଟ ସମସ୍ତ ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର