ଖୋଲିଲା ସବରିମାଳା ମନ୍ଦିର, ମହିଳା ଭକ୍ତଙ୍କୁ ମିଳିଲାନି ସୁରକ୍ଷା ଅଟକିଲେ ୧୦ ଭକ୍ତ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ମଧ୍ୟ‌‌ରେ ଆଜି ସବରିମାଳା ମନ୍ଦିର ଖୋଲିଛି। ଦୁଇ ମାସର ମଣ୍ଡଳ ପୂଜା ପାଇଁ ସନ୍ଧ୍ୟା ୫ଟା ସମୟରେ ମନ୍ଦିର ଗେଟ୍‌ ଖୋଲାଯାଇଛି। ଭକ୍ତମାନେ ଆସନ୍ତାକାଲି ଭଗବାନ ଆୟାପ୍ପାଙ୍କ ଦର୍ଶନ କରିବେ। କେରଳର ପଥନମଥିତ୍ତ ଜିଲ୍ଲା ସ୍ଥିତ ଏକ ଜଙ୍ଗଲ ଅଞ୍ଚଳରେ ମନ୍ଦିର ଥିବାବେଳେ କୌଣସି ପ୍ରକାର ଆଇନ ଶୃଙ୍ଖଳା ସ୍ଥିତି ନ ଉପୁଜିବାପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତେବେ ଆଜି ମହିଳା ଯାତ୍ରୀଙ୍କୁ ସୁରକ୍ଷା ନ ମିଳିବାରୁ ସେମାନେ ଦର୍ଶନ କରିପାରି ନାହାନ୍ତି। ପୁଲିସ ମହିଳା ଯାତ୍ରୀଙ୍କୁ ରାସ୍ତାରେ ଅଟକ ରଖି ଫେରିବା ପାଇଁ ବାଧ୍ୟ କରିଛି। ସବରିମାଳା ମନ୍ଦିର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବାର ଦୁଇ ଦିନପରେ ଆଜି ମନ୍ଦିର ଖୋଲିଛି। ପ୍ରଥମ ଦିନରେ ଆନ୍ଧ୍ରପ୍ରଦେଶରୁ ୫୦ ବର୍ଷରୁ କମ୍‌ ବୟସର ୧୦ ଜଣ ମହିଳା ମନ୍ଦିରକୁ ଯାଉଥିଲେ ମଧ୍ୟ ପୁଲିସ ସେମାନଙ୍କୁ ପାମ୍ବ‌ା ନିକଟ‌ରେ ଅଟକାଇ ଦେଇଥିଲା। କୌଣସି ମହିଳା ଭକ୍ତଙ୍କ ସୁରକ୍ଷା ପାଇଁ ପ୍ରଶାସନ ପ୍ରତିଶ୍ରୁତିବଦ୍ଧ ନୁ‌‌ହେଁ ବୋଲି ଆଜି କୁହାଯାଇଛି।

କେରଳ ଦେବସ୍ବମ ବୋର୍ଡ ମନ୍ତ୍ରୀ କେ ସୁରେନ୍ଦ୍ରନ୍‌ କହିଛନ୍ତି, ରାଜ୍ୟ ସରକାର ମନ୍ଦିରକୁ ଆସୁଥିବା‌ କୌଣସି ମହିଳାଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। ଯେଉଁମାନଙ୍କୁ ସୁରକ୍ଷା ଦରକାର ସେମାନେ ସୁପ୍ରିମକୋର୍ଟଙ୍କ ଆଦେଶ ମାଗନ୍ତୁ। ତୃପ୍ତି ଦେଶାଇଙ୍କ ପରି ସାମାଜିକ କର୍ମୀ ସବରିମାଳାକୁ ଶକ୍ତି ପ୍ରଦର୍ଶନ ସ୍ଥାନ ଭାବେ ନ ଦେଖିବା ଉଚିତ ବୋଲି ସେ କହିଛନ୍ତି।। ଯଦି ‌ତାଙ୍କୁ ପୁଲିସ ସୁରକ୍ଷା ଦରକାର ତେବେ ସେ ସୁପ୍ରିମକୋର୍ଟଙ୍କଠାରୁ ଆଦେଶ ଆଣନ୍ତୁ ବୋଲି ସୁରେନ୍ଦ୍ରନ୍‌ କହିଛନ୍ତି। ଅନ୍ୟପ‌କ୍ଷେ ତୃପ୍ତି ଆଜି ‌ଘୋଷଣା କହିଛନ୍ତି ଯେ କେରଳ ସରକାର ତାଙ୍କୁ ସୁରକ୍ଷା ଦିଅନ୍ତୁ କି ନଦିଅନ୍ତୁ, ସେ ନଭେମ୍ବର ୨୦ ତାରିଖ ପରେ ମନ୍ଦିର ଯିବେ। କେରଳ ସରକାର ମହିଳାଙ୍କ ବିରୋଧରେ କାମ କରୁଛନ୍ତି ବୋଲି ଦେଶାଇ କହିଛନ୍ତି। ସୁପ୍ରିମକୋର୍ଟ ଗତବର୍ଷ ଐତିହାସିକ ରାୟ ଦେଇ ସବୁ ବୟସର ମହିଳାମାନେ ମନ୍ଦିର ମଧ୍ୟକୁ ଯାଇପାରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର