୧୬ରୁ ଖୋଲିବ କେରଳର ସାବରିମାଲା ମନ୍ଦିର

ସାବରିମାଲା : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲାରେ ଥିବା ଭଗବାନ ଆୟାପ୍ପା ସ୍ବାମୀ ମନ୍ଦିର ଆସନ୍ତା ୧୬ ତାରିଖ ଅପରାହ୍ଣରେ ଖୋଲିବ । ତେବେ ଶ୍ରଦ୍ଧାଳୁମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ ବୋଲି ମନ୍ଦିର ପରିଚାଳନା ଦାୟିତ୍ବରେ ଥିବା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ବୋର୍ଡର ସୂଚନା ଅନୁସାରେ ପାରମ୍ପରିକ ତୁଳା ମାସ ପୂଜା ପାଇଁ ମନ୍ଦିର ଏହି ୬ ଦିନ ପାଇଁ ଖୋଲିବ । ଏହି ଅବସରରେ ମନ୍ଦିରର ନୂଆ ମେଲଶାନ୍ତି (ମୁଖ୍ୟ ପୂଜକ)ଙ୍କୁ ଚୟନ କରାଯିବ । ୧୬ ତାରିଖ ଅପରାହ୍ଣ ୫ଟାରେ ମନ୍ଦିର ଖୋଲିବାପରେ ବର୍ତ୍ତମାନର ମେଲଶାନ୍ତି ଭି.କେ.ଜୟରାଜ ପୋଟ୍ଟି ଶ୍ରୀବିଗ୍ରହଙ୍କ ଆଗରେ ପ୍ରଦୀପ ପ୍ରଜ୍ବଳନ କରିବେ । ଏହା ପରେ ଉପଦେବତା ମନ୍ଦିର ଖୋଲିବା ସହ ସେଠାରେ ବି ପ୍ରଦୀପ ପ୍ରଜ୍ବଳନ କରାଯିବ । ପରେ ମନ୍ଦିରର ୧୮ତମ ପାହାଚରେ ନିଆଁ ଜଳାଯିବ । ଏସବୁ କାର୍ଯ୍ୟ ଛଡ଼ା ମନ୍ଦିରରେ ସେଦିନ ଆଉ କୌଣସି ପୂଜା କରାଯିବ ନାହିଁ । ପରଦିନ ଅର୍ଥାତ ୧୭ ତାରିଖରେ ଲକି ଡ୍ର ମାଧ୍ୟମରେ ନୂଆ ମୁଖ୍ୟପୂଜକ ଚୟନ କରାଯିବ ।

ଶ୍ରଦ୍ଧାଳୁମାନେ ୧୭ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ତେବେ ଅନଲାଇନ ବୁକିଂ କରିଥିବା ଶ୍ରଦ୍ଧାଳୁମାନେ ହିଁ ଦର୍ଶନ କରିପାରିବେ । ମନ୍ଦିରରେ ପ୍ରବେଶ କରିବାକୁ ଦୁଇଟି ଡୋଜ୍ କୋଭିଡ୍ ଟିକା ନେବା ବାଧ୍ୟତାମୂଳକ ।

ସମ୍ବନ୍ଧିତ ଖବର