ସବରିମାଲା ମଧ୍ୟକୁ ମହିଳାଙ୍କ ପ୍ରବେଶାଧିକାର; ଆଗତ ୧୯ଟି ପୁନଃ ସମୀକ୍ଷା ଆବେଦନକୁ ଏକତ୍ରିତ କରି ନଭେମ୍ବର ୧୩ରେ ଶୁଣାଣି କରିବେ ସୁପ୍ରିମ୍‌ କୋର୍ଟ

0

ନୂଆଦିଲ୍ଲୀ: କେରଳର ପ୍ରସିଦ୍ଧ ସବରିମାଲା ମନ୍ଦର ମଧ୍ୟକୁ ମାସିକ ଧର୍ମ ବଳବତ୍ତର ରହିଥିବା ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶାଧିକାର ଉପରେ ସୁପ୍ରିମ୍‌ କୋର୍ଟରେ ଯେଉଁ ସମସ୍ତ ପୁନଃ ସମୀକ୍ଷା ଆବେଦନ ଦାଖଲ ହୋଇଛି ତାହାକୁ ବିଚାର ପାଇଁ ଗ୍ରହଣ କରିବା ସହ ତାହାର ଶୁଣାଣି ଆସନ୍ତା ନଭେମ୍ବର ୧୩ ତାରିଖ ଅପରାହ୍ଣ ୩ଟା ସମୟରେ କରାଯିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ କହିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ ଓ ଜଷ୍ଟିସ୍‌ ସଞ୍ଜୟ କିଶନ୍‌ କୌଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି କହିଛନ୍ତି ଯେ କେରଳର ସବରିମାଲା ମନ୍ଦର ମଧ୍ୟକୁ ମାସିକ ଧର୍ମ ବଳବତ୍ତର ରହିଥିବା ୧୦ରୁ ୫୦ ବର୍ଷ ବୟସ୍କ ମହିଳାଙ୍କ ପ୍ରବେଶାଧିକାର ଉପରେ ସୁପ୍ରିମ୍‌ କୋର୍ଟରେ ସର୍ବମୋଟ ୧୯ଟି ପୁନଃ ସମୀକ୍ଷା ଆବେଦନ ଦାଖଲ ହୋଇଛି। ୧୯ଟି ପୁନଃ ସମୀକ୍ଷା ଆବେଦନକୁ ପୃଥକ୍‌ ପୃଥକ୍‌ ଭାବେ ଶୁଣାଣି କରିବାର କୌଣସି ପ୍ରକାରର ଆବଶ୍ୟକତା କିମ୍ବା ଯଥାର୍ଥତା ନାହିଁ। ସେଥିପାଇଁ ଆଗତ ହୋଇଥିବା ୧୯ଟି ଯାକ ପୁନଃ ସମୀକ୍ଷା ଆବେଦନକୁ ଏକତ୍ରିତ କରି ତାହାର ଣୁଣାଣି ଆସନ୍ତା ନଭେମ୍ବର ୧୩ ତାରିଖ ଅପରାହ୍ଣ ୩ଟା ସମୟରେ କରାଯିବ ବୋଲି ଖଣ୍ଠପୀଠର ଅଧ୍ୟକ୍ଷତା କରୁଥିବା ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଂଜନ ଗୋଗେଇ କହିଛନ୍ତି।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨୮ ତାରିଖରେ ସୁପ୍ରିମ୍‌ କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସୁପ୍ରିମ୍‌ କୋର୍ଟର ଏକ ସାମ୍ବିଧାନିକ ଖଣ୍ଡପୀଠ ୪:୧ ବହୁମତରେ କେରଳର ସବରିମାଲା ମନ୍ଦର ମଧ୍ୟକୁ ମାସିକ ଧର୍ମ ବଳବତ୍ତର ରହିଥିବା ୧୦ରୁ ୫୦ ବର୍ଷ ବୟସ୍କ ମହିଳାମାନଙ୍କୁ ପ୍ରବେଶାଧିକାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର