ରାଷ୍ଟ୍ରପତିଙ୍କ ଦ୍ୱାରା ସାବରମତୀ ପୁରସ୍କୃତ

ନୂଆଦିଲ୍ଲୀ : ପରିବେଶ ସୁରକ୍ଷା, ଜୈବ କୃଷିର ପ୍ରଶିକ୍ଷଣ ସହ ମହିଳାଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡ଼ିଶାର ପ୍ରତିଷ୍ଠିତ ପରିବେଶବିତ୍‌ ତଥା ସାମାଜିକ କର୍ମୀ ସାବରମତୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନଜନକ ନାରୀ ଶକ୍ତି ସମ୍ମାନରେ ପୁରସ୍କୃତ କରିଛନ୍ତି। ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାବରମତୀଙ୍କ ସମେତ ଦେଶର ୨୯ଜଣ ମହିଳାଙ୍କୁ ରାଷ୍ଟ୍ରପତି ପୁରସ୍କୃତ କରିଛନ୍ତି। ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ଏହି ଅର୍ଥରାଶିକୁ ନିଜ ଅନୁଷ୍ଠାନ ପାଇଁ ଦାନ କରିବେ ବୋଲି ସାବରମତୀ କହିଛନ୍ତି। ଏଥି ସହିତ ପିତା ପ୍ରଫେସର ରାଧାମୋହନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆରମ୍ଭ କରିଥିବା ଏହି ସମାଜସେବା ଆଗକୁ ମଧ୍ୟ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନାରୀ ଶକ୍ତି ପୁରସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଜଣାଇଥିଲେ।

ସମ୍ବନ୍ଧିତ ଖବର