ନୂଆଦିଲ୍ଲୀ: ସାବରମତୀ ଆଶ୍ରମ ପୁନଃନିର୍ମାଣ ପ୍ରକଳ୍ପ ବିରୋଧରେ ମହାତ୍ମା ଗାନ୍ଧୀଙ୍କ ନାତି ତୁଷାର ଗାନ୍ଧୀଙ୍କ ଆବେଦନକୁ ସୁପ୍ରିମ୍କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ୍ ଏମ୍ଏମ୍ ସୁନ୍ଦରେଶ ଓ ଜଷ୍ଟିସ୍ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିସନ୍ ଦାଖଲ କରିବାରେ ଦୁଇ ବର୍ଷରୁ ଅଧିକ ବିଳମ୍ବ ହୋଇଥିବା ଦର୍ଶାଇ ପ୍ରକଳ୍ପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ।
ଗୁଜରାଟ ହାଇକୋର୍ଟଙ୍କ ବିରୋଧରେ ଦାଖଲ କରିଥିବା ଆବେଦନରେ ତୁଷାର କହିଛନ୍ତି ଯେ ପ୍ରସ୍ତାବିତ ପ୍ରକଳ୍ପ ଆଶ୍ରମର ଭୌଗୋଳିକ ସ୍ଥିତିରେ ପରିବର୍ତ୍ତନ ଆଣିବ। ଏହି ପ୍ରକଳ୍ପରେ ୪୦ରୁ ଅଧିକ କୋଠା ଚିହ୍ନଟ କରାଯାଇଛି, ଯାହାକୁ ସଂରକ୍ଷିତ ରଖାଯିବ ଏବଂ ଅବଶିଷ୍ଟ ୨୦୦ଟି କୋଠାକୁ ନଷ୍ଟ କିମ୍ବା ପୁନଃନିର୍ମାଣ କରାଯିବ। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଆଶ୍ରମର ମୁଖ୍ୟ ଅଞ୍ଚଳ ପ୍ରଭାବିତ ହେବ ନାହିଁ ବୋଲି ରାଜ୍ୟ ସରକାର ଯେଉଁ ପ୍ରତିଶ୍ରୁତି ଦେଇଛନ୍ତି ତାହା ଏହି ଆଦେଶକୁ ଚ୍ୟାଲେଞ୍ଜ କରିବାର ଆଧାର ହୋଇପାରିବ ନାହିଁ। ଆଶ୍ରମର ମୁଖ୍ୟ ଅଞ୍ଚଳ ପ୍ରଭାବିତ ହେବ ନାହିଁ ବୋଲି ସରକାର କହିବା ପରେ ୨୦୨୨ରେ ଗୁଜରାଟ ହାଇକୋର୍ଟ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଗୁଜରାଟ ସରକାରଙ୍କ ପକ୍ଷରୁ ଆଡ୍ଭୋକେଟ୍ ଜେନେରାଲ କମଲ ତ୍ରିବେଦୀ ହାଇକୋର୍ଟଙ୍କୁ କହିଥିଲେ ଯେ ୫ ଏକର ପରିମିତ ମୁଖ୍ୟ ଆଶ୍ରମ ପରିସରକୁ ପୁନଃନିର୍ମାଣ ସମୟରେ ସ୍ପର୍ଶ କରାଯିବ ନାହିଁ। ‘ଜାତୀୟ ଗାନ୍ଧୀ ସ୍ମାରକ ନିଧି’ (ଏନ୍ଜିଏସ୍ଏନ୍) ତତ୍ତ୍ୱାବଧାନରେ ପୁନର୍ବିକାଶ କରିବାକୁ ନିର୍ଦ୍ଦେଶ ଦେବାକୁ ଗାନ୍ଧୀ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ଦାଖଲ କରିଥିଲେ। ସାବରମତୀ ଆଶ୍ରମ, ଗାନ୍ଧୀ ଆଶ୍ରମ ନାମରେ ମଧ୍ୟ ପରିଚିତ, ଯାହା ୧୯୧୭ ମସିହାରେ ଅହମଦାବାଦରେ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/02/ApeEvUnFKILVzXJNVra7.jpg)