ସବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲା: କଟକଣା ହଟିଲା

ସମ୍ବିଧାନ ପୀଠର ଐତିହାସିକ ରାୟ,ଜଷ୍ଟିସ୍‌ ଇନ୍ଦୁ ମାଲ୍‌ହୋତ୍ରାଙ୍କ ଭିନ୍ନ ମତ

ନୂଆଦିଲ୍ଲୀ: ଶବରିମାଳା ମନ୍ଦିରରେ ଏବେ ଯେ କୌଣସି ବୟସର ମହିଳା ବିନା କୌଣସି କଟକଣାରେ ପ୍ରବେଶ କରିପାରିବେ। ପୂର୍ବରୁ ମନ୍ଦିରରେ ୧୦ ବର୍ଷରୁ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ମହିଳାଙ୍କ ପ୍ରବେଶ ଉପରେ କଠୋର କଟକଣା ରହିଥିଲା। ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ କୌଣସି ପୂର୍ବ କଟକଣା ରହିବ ନାହିଁ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଏକ ଐତିହାସିକ ରାୟରେ କହିଛନ୍ତି। ବୟସ ନିର୍ବିଶେଷରେ ମହିଳାଙ୍କ ପ୍ରବେଶ ସପକ୍ଷରେ ସୁପ୍ରିମ୍‌୍‌ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ୪-୧ ବହୁମତରେ ରାୟ ଶୁଣାଇଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ସମ୍ବିଧାନ ପୀଠରେ ଥିବା ଅନ୍ୟ ୪ ଜଣ ବିଚାରପତି ହେଲେ ଏ.ଏମ୍‌. ଖାନ୍‌ୱିଲକର, ଜଷ୍ଟିସ୍ ଆର୍‌.ଏଫ୍‌୍‌. ନରିମନ, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା। ୫ ଜଣିଆ ପୀଠରେ ୪ ଜଣ ପୁରୁଷ ବିଚାରପତି ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଶୁଣାଇଥିବା ବେଳେ ମହିଳା ବିଚାରପତି ଏଥିରେ ଅସହମତି ପ୍ରକାଶ କରିଥିଲେ। ମହିଳା ବିଚାରପତି ଇନ୍ଦୁ ମାଲହୋତ୍ରା କହିଛନ୍ତି ଯେ ଧର୍ମ ଉପରେ ଏଭଳି ରାୟର ବ୍ୟାପକ ପ୍ରଭାବ ରହିଛି। ଦେଶରେ ଧର୍ମନିରପେକ୍ଷ ବାତାବରଣ କାଏମ ରଖିବା ନିମନ୍ତେ ଗୁରୁତ୍ବପୂର୍ଣ୍ଣ ଧାର୍ମିକ ପ୍ରସଙ୍ଗରେ ପରିବର୍ତ୍ତନ ନ ଆଣିବା ଉଚିତ। ସେ କହିଛନ୍ତି ଯେ ସମାନତାର ଅଧିକାର ଏବଂ ଧର୍ମ ପାଳନର ଅଧିକାର ମଧ୍ୟରେ ଏଠାରେ ଏକପ୍ରକାର ଲଢ଼େଇ ହୋଇଛି। ଭାରତରେ ବିବିଧ ଧାର୍ମିକ ପରମ୍ପରା ରହିଛି। ସମ୍ବିଧାନ ସମସ୍ତଙ୍କୁ ନିଜ ଧର୍ମର ପ୍ରଚାର କରିବା ଏବଂ ଧର୍ମ ପାଳନ ବିଧି କାର୍ଯ୍ୟକାରୀ କରିବାକୁ ଅନୁମତି ଦେଇଛି। ଅଦାଲତ ଏଭଳି ପାରମ୍ପରିକ ଧାର୍ମିକ ବ୍ୟବସ୍ଥାରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ବୋଲି ଜଷ୍ଟିସ୍‌ ମାଲହୋତ୍ରା କହିଛନ୍ତି। ଧାର୍ମିକ ପରମ୍ପରାରେ ଭେଦଭାବ ରହିଥିଲେ ମଧ୍ୟ ତାହା ଆମକୁ ଗ୍ରହଣ କରିବାକୁ ହେବ ବୋଲି ସେ କହିଛନ୍ତି। ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ଜଷ୍ଟିସ୍‌ ଖାନ୍‌ୱିଲକର ତାଙ୍କ ରାୟରେ କହିଛନ୍ତି ଯେ ଭଗବାନ ଆୟାପ୍ପାଙ୍କ ଭକ୍ତ ହେଉଛନ୍ତି ହିନ୍ଦୁ। ହିନ୍ଦୁଙ୍କ ମଧ୍ୟରେ ଆଉ ଏକ ଧାର୍ମିକ ସଂପ୍ରଦାୟ ସୃଷ୍ଟି ନ କରିବା ଉଚିତ। ଧର୍ମ ଜୀବନ ଜୀଇଁବାର ଉପାୟ ଏବଂ ଜୀବନକୁ ଅଭ୍ୟାସ ସହ ଯୋଡ଼ିଥାଏ। ପୂଜାରେ ଲିଙ୍ଗଗତ ଭେଦଭାବ ଚାଲିପାରିବ ନାହିଁ ଏବଂ ଶ୍ରଦ୍ଧା ଓ ଭକ୍ତିରେ ପାତର ଅନ୍ତର ରହିବାର କିଛି ପ୍ରାସଙ୍ଗିକତା ନାହିଁ। ଜଷ୍ଟିସ ନରିମନ କହିଥିଲେ ଯେ ମହିଳାଙ୍କ ପ୍ରବେଶ ଉପରେ ଲାଗୁ ହୋଇଥିବା କଟକଣା ସମ୍ବିଧାନର ଧାରା ୨୬ର ବିରୁଦ୍ଧାଚରଣ କରୁଛି। ପୂଜାପାଠରେ ମହିଳାଙ୍କର ମଧ୍ୟ ସମାନ ଅଧିକାର ଥିବାରୁ କଟକଣା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ରାୟ ଯୁଗାନ୍ତକାରୀ: ରାଜ୍ୟ ସରକାର
ନିରାଶାଜନକ: ମୁଖ୍ୟ ପୁରୋହିତ
ଥିରୁବନନ୍ତପୁରମ୍‌ : ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ପ୍ରକାଶ କରି ସବରିମାଳା ମନ୍ଦିରରେ ଯେ କୌଣସି ବୟସର ମହିଳାମାନେ ପ୍ରବେଶ କରି ପାରିବେ ବୋଲି କହିବା ପରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟ ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟଙ୍କ ରାୟକୁ କେରଳ ସରକାର ଐତିହାସିକ ଏବଂ ଯୁଗାନ୍ତକାରୀ ବୋଲି କହିଛନ୍ତି। ଅନ୍ୟପକ୍ଷରେ ସବରିମାଳା ମନ୍ଦିରର ମୁଖ୍ୟ ପୁରୋହିତ ସୁପ୍ରିମକୋର୍ଟଙ୍କ ରାୟକୁ ନିରାଶାଜନକ କହିଛନ୍ତି। ‌ସେହିପରି ମନ୍ଦିର ପ୍ରଶାସନ ବୋର୍ଡ ସୁପ୍ରିମକୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବେ ବୋଲି ଘୋଷଣା କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ମହିଳାଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷା ଦେଇଛି ବୋଲି ସରକାରଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ପଣ୍ଡଳମ୍ ରାଜ ପରିବାରର ଜଣେ ସଦସ୍ୟ ଶଶି କୁମାର ବର୍ମା ଆଜିର ରାୟକୁ ଯନ୍ତ୍ରଣାଦାୟକ ବୋଲି କହିଛନ୍ତି। ଆୟାପ୍ପା ଧର୍ମ ‌େସନାର ଅଧ୍ୟକ୍ଷ ରାୟୁଲ ଈଶ୍ବର ସୁପ୍ରିମ୍‌ କୋର୍ଟ ରାୟକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଏବଂ ରାୟ ବିରୋଧରେ ଅନୁଷ୍ଠାନ ଏକ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ପରମ୍ପରା ଅନୁଯାୟୀ ମନ୍ଦିରକୁ କେବଳ ଛୋଟ ପିଲା ଏବଂ ୫୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ମନ୍ଦିର‌େର ପ୍ରବେଶ ଅନୁମତି ମିଳୁଥିଲା। ୧୦ରୁ ୫୦ ବର୍ଷ ବୟସର ମହିଳାଙ୍କୁ ମନ୍ଦିରରେ ପ୍ରବେଶ ଅନୁମତି ଦିଆଯାଉ ନଥିବା ବେଳେ ସମ୍ବିଧାନ ପୀଠ ଦୀଘ ବର୍ଷର ଏହି ପରମ୍ପରାକୁ ହଟାଇଛନ୍ତି।

ସମ୍ବନ୍ଧିତ ଖବର