ଖାଇରେ ଖସିପଡ଼ିଲା ସାବରିମାଲାରୁ ଫେରୁଥିବା ବସ୍, ୬୦ ଆହତ

ପଥନମଥିଟା : କେରଳର ପ୍ରସିଦ୍ଧ ତୀର୍ଥ ସାବରିମାଲାରୁ ଫେରୁଥିବା ଏକ ବସ ଖାଇରେ ଖସିପଡ଼ିବାରୁ ୬୦ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି ।

ପୁଲିସ ଓ ସ୍ଥାନୀୟ ଗଣମାଧ୍ୟମ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ବସଟି ତାମିଲନାଡ଼ୁରୁ ତୀର୍ଥଯାତ୍ରୀଙ୍କୁ ନେଇ ସାବରିମାଲା ଯାଇଥିଲା । ଫେରିବା ବାଟରେ ଏହି ଦୁର୍ଘଟଣା ହୋଇଥିଲା । ବସରେ ପ୍ରାୟ ୬୮ ଜଣ ଯାତ୍ରୀ ଥିଲେ ଓ ସେମାନଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଆହତ ହୋଇଛନ୍ତି । ବସରେ ମୋଟ ୭ ଜଣ ଶିଶୁ ଥିଲେ । ଆହତଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନେ କୋଟ୍ଟାୟମ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଆହତମାନଙ୍କ ପଥନମଥିଟା ଓ ଏରୁମେଲି ହସପିଟାଲରେ ଚିକିତ୍ସା କରାଯାଉଛି ।

ଅନ୍ୟପକ୍ଷରେ ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ ବସଟି ଦୁର୍ଘଟଣାଗ୍ରସ୍ତ ହେବାପରେ ଆହତ ହୋଇଥିବା ଲୋକମାନଙ୍କୁ ଠିକ ସମୟରେ ଡାକ୍ତରଖାନାକୁ ନିଆଯାଇପାରିନଥିଲା । କାରଣ ଆମ୍ବୁଲାନ୍ସଗୁଡ଼ିକ ବିଳମ୍ବରେ ପହଞ୍ଚିଥିଲା । ଏବେ ବି ଘଟଣାସ୍ଥଳରେ କେତେକ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇପାରିନାହିଁ । ଦମକଳ ବାହିନୀ ଓ ପୁଲିସ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରାଯାଉଛି ।

ବାର୍ଷିକ ଉତ୍ତରମ୍ ଉତ୍ସବ ପାଇଁ ସାବରିମାଲାକୁ ଗତ ୨୬ ତାରିଖରେ ଖୋଲାଯାଇଥିଲା ।

 

ସମ୍ବନ୍ଧିତ ଖବର