ଜୟପୁର: ନିର୍ବାଚନ ଆୟୋଗ ଆଜି ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୨୩ ନଭେମ୍ବରରେ ରାଜସ୍ଥାନରେ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ୩ ଡିସେମ୍ବରରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ। ସେପଟେ ନିର୍ବାଚନକୁ ନେଇ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସଚିନ ପାଇଲଟ କହିଛନ୍ତି ଯେ ସେ ନିର୍ବାଚନ ତାରିଖକୁ ସ୍ୱାଗତ କରୁଛନ୍ତି। ସେ କହିଛନ୍ତି ଯେ ଯେ ଏଥର ରାଜସ୍ଥାନରେ ୨୫ ବର୍ଷର ରେକର୍ଡ ଭାଙ୍ଗିଯିବ ଏବଂ କଂଗ୍ରେସ ପାର୍ଟି ପୁଣି ସରକାର ଗଠନ କରିବ। ଏଥିସହ ସମସ୍ତ ରାଜ୍ୟରେ କଂଗ୍ରେସ ସରକାର ଗଠନ ହେବ |

Advertisment

ଉଲ୍ଲେଖ ଥାଉ କି ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘଦିନ ଧରି କଳହ ଲାଗିରହିଥିଲା | ଅବଶ୍ୟ କିଛିମାସ ହେଲା ଉଭୟ ନିରବ ରହିଥିବାବେଳେ ଅକ୍ଟୋବର ୫ ତାରିଖ ଦିନ ଜୟପୁରରେ ଏକ କାର୍ଯ୍ୟକ୍ରମରେ ଟିକେଟ୍ ବଣ୍ଟନରେ ପାଇଲଟଙ୍କ ଭୂମିକା ଉପରେ ଏକ ପ୍ରଶ୍ନରେ ଗେହଲୋଟ୍ ସଚିନଙ୍କୁ କଟାକ୍ଷ କରିଥିଲେ | ସେ କହିଥିଲେ ଯେ , 'ସଚିନ ପାଇଲଟ୍ ଆମ ଦଳର ନେତା। ବର୍ତ୍ତମାନ ସେ ନିଜେ ହାଇକମାଣ୍ଡରେ ପରିଣତ ହୋଇଛନ୍ତି। କ’ଣ କରିବାକୁ ହେବ ହାଇକମାଣ୍ଡଙ୍କୁ କହିବାର କୌଣସି ଆବଶ୍ୟକତା ନାହିଁ | ସେ କହିଛନ୍ତି, 'ଯେତେବେଳେ ହାଇକମାଣ୍ଡ ଟିକେଟ୍ ବଣ୍ଟନ କରିବେ, ସେତେବେଳେ ପାଇଲଟଙ୍କର ମଧ୍ୟ ଏଥିରେ ଭୂମିକା ରହିବ | ତେବେ ଗେହଲୋଟଙ୍କ ଏଭଳି ବିବୃତ୍ତି ପୁଣି ରାଜସ୍ଥାନ କଂଗ୍ରେସରେ ନୂଆ ମହାଭାରତ ସୃଷ୍ଟି କରିପାରେ ବୋଲି ରାଜନୈତିକ ସମୀକ୍ଷକ ଆଶଙ୍କା କରିଛନ୍ତି |