ଗେହଲଟ୍ ଏବଂ ତାଙ୍କ ସମର୍ଥକମାନେ ମୋ ବିରୋଧରେ ଚକ୍ରାନ୍ତ କରିଛନ୍ତି
ପାଇଲଟ୍ଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍
ନୂଆଦିଲ୍ଲୀ : କଂଗ୍ରେସ ନେତା ସଚିନ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ ଏବଂ ପିସିସି ସଭାପତି ପଦରୁ ବହିଷ୍କାର ହେବାପରେ ଆଜି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ପାଇଲଟ୍ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ପରେ ସେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପାଇଲଟ୍ ଆଜି ସ୍ପଷ୍ଟ୍ ଭାବେ ଶୁଣାଇ ଦେଇଛନ୍ତି ଯେ, ସେ ବିଜେପିରେ ଯୋଗ ଦେଉନାହାନ୍ତି। ପାଇଲଟ୍ କହିଛନ୍ତି ବହୁତ କଷ୍ଟ କରି ସେ ରାଜସ୍ଥାନରେ ବିଜେପିକୁ ହରାଇ କଂଗ୍ରେସକୁ କ୍ଷମତାକୁ ଆଣିଥିଲେ। କିନ୍ତୁ କିଛି ନିର୍ଦ୍ଦିଷ୍ଟ ନେତା ଏହାକୁ ବୁଝିନାହାନ୍ତି। ଏବେ କୁହାଯାଉଛି ଯେ, ମୁଁ ବିଜେପିରେ ଯୋଗ ଦେବି। ମୋ ସମ୍ମାନରେ ଆଞ୍ଚ ଆଣିବାପାଇଁ ଏଭଳି କୁହାଯାଉଛି। ମୁଁ ବିଜେପିରେ ଯୋଗ ଦେଉନାହିଁ। ପାଇଲଟ୍ ଆଜି ଏକ ଗଣମାଧ୍ୟମ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି, ‘ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନାହାନ୍ତି। ସେ ଗତବର୍ଷ ଇସ୍ତଫା ଦେବାପରେ ଗେହଲଟ୍ ଏବଂ ଏଆଇସିସିରେ ଥିବା ତାଙ୍କ ବିଶ୍ବସ୍ତ ବନ୍ଧୁମାନେ ମୋ ବିରୋଧରେ ଚକ୍ରାନ୍ତ ଆରମ୍ଭ କରିଦେଇଥିଲେ। ତେବେ ଗେହଲଟ୍ଙ୍କ ସହ ମୋର କିଛି ଶତ୍ରୁତା ନାହିଁ। ମୁଁ ମଧ୍ୟ କିଛି ସ୍ବତନ୍ତ୍ର କ୍ଷମତା ଦାବି କରିନାହାନ୍ତି, କିନ୍ତୁ ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ସେହି ଅନୁଯାୟୀ ରାଜସ୍ଥାନରେ କଂଗ୍ରେସ ସରକାର ଲୋକମାନଙ୍କ ପାଇଁ କାମ କରୁ’ ବୋଲି ସେ କହିଛନ୍ତି। ରାଜସ୍ଥାନର ବିକାଶ ପାଇଁ ଗେହଲଟ୍ ମତେ କିମ୍ବା ମୋର ଅନୁଗାମୀମାନଙ୍କୁ କାର୍ଯ୍ୟ କରିବାକୁ ଅନୁମତି ଦେଇନାହାନ୍ତି। ଅମଲାମାନଙ୍କୁ ମୋ ନିର୍ଦ୍ଦେଶ ନ ମାନିବାକୁ କୁହାଯାଇଥିଲା। ମୋ ପାଖକୁ କୌଣସି ଫାଇଲ୍ ଆସୁନଥିଲା। ତେବେ ଯଦି ଲୋକମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ମୁଁ ରଖିପାରିବନି ତେବେ ପଦବି ଥାଇ ଲାଭ କ'ଣ ବୋଲି ସେ କହିଛନ୍ତି। ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ମୋର ସଂଘର୍ଷରେ କୌଣସି ସାଲିସ୍ ହେବନାହିଁ ବୋଲି ପାଇଲଟ କହିଛନ୍ତି।
ପାଇଲଟ୍ଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କୁ ନୋଟିସ୍
୨ ଦିନ ଭିତରେ ଜବାବ ନଦେଲେ କାର୍ଯ୍ୟାନୁଷ୍ଠାନ
ନୂଆଦିଲ୍ଲୀ : ରାଜସ୍ଥାନ କଂଗ୍ରେସରେ ଲାଗି ରହିଥିବା ସଙ୍କଟ ଆଜି ମଧ୍ୟ ଜାରି ରହିଛି ଏବଂ ବିଦ୍ରୋହୀଙ୍କ ବିରୋଧରେ ଆହୁରି କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ନିଷ୍ପତ୍ତି ନେଇଛି। ବଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭିଯୋଗରେ ସଚିନ ପାଇଲଟ୍ଙ୍କ ସମେତ ୧୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ୧୯ ବିଧାୟକଙ୍କୁ ଆଜି ନୋଟିସ୍ ଜାରି କରି ଶୁକ୍ରବାର ସୁଦ୍ଧା ଜବାବ ଦାଖଲ କରିବାକୁ କୁହାଯାଇଛି। ଯଦି କଂଗ୍ରେସ ସବୁ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପଦକ୍ଷେପ ନେବ ତା’ହେଲେ ସରକାର ସଂଖ୍ୟାଲଘୁ ପାଲଟିଯିବ। ଆଜି ଦଳ ପକ୍ଷରୁ ନୋଟିସ୍ ଜାରି କରି ପାଇଲଟ୍ ଏବଂ ଅନ୍ୟ ବିଦ୍ରୋହୀ ବିଧାୟକଙ୍କୁ ପ୍ରଶ୍ନ କରାଯାଇଛି ଯେ, ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ କାହିଁକି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବନି। କଂଗ୍ରେସ ବିଧାୟକ ଦଳ ବୈଠକରେ ସେମାନେ ସାମିଲ ନହେବାର କାରଣ ସ୍ପଷ୍ଟ ଭାବେ ଦର୍ଶାଇବାକୁ ଏହି ନୋଟିସ୍ରେ କୁହାଯାଇଛି। ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ କହିଛନ୍ତି ଯେ, ଯଦି ୨ ଦିନ ଭିତରେ ଏହି ନୋଟିସ୍ର ଜବାବ ନମିଳିବ ତାହାଲେ କଂଗ୍ରେସ ବିଧାୟକ ଦଳରୁ ସେମାନଙ୍କ ସଦସ୍ୟତା ପ୍ରତ୍ୟାହାର ହୋଇଛି ବୋଲି ଧରାଯିବ।