ପାଇଲଟ୍‌ଙ୍କ ୩ଟି ଦାବି, କାହିଁକି ଭେଟି ନଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବିଦ୍ରୋହୀ ନେତା ସଚିନ୍‌ ପାଇଲଟ୍‌ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ନିକଟରେ ୩ଟି ଦାବି କରିଛନ୍ତି। ଏହି ୩ଟି ଦାବି ପୂରଣ କରାଗଲେ ହୁଏତ ପାଇଲଟ୍‌ କଂଗ୍ରେସ ହାଇକମାଣ୍ଡ୍‌ଙ୍କ ପରାମର୍ଶ ଅନୁଯାୟୀ ଗେହଲଟ୍‌ଙ୍କ ନେତୃତ୍ବରେ କାର୍ଯ୍ୟ କରିପାରନ୍ତି ବୋଲି କୁହାଯାଉଛି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ପାଇଲଟ୍‌ଙ୍କ ବିଶ୍ବସ୍ତ ମାନଙ୍କ ମଧ୍ୟରୁ ୪ ଜଣ ବିଧାୟକ ଯେଉଁମାନେ ଗେହଲଟ୍‌ଙ୍କ ବି‌ରୋଧରେ ସିଧାସଳଖ ବିଦ୍ରୋହ କରିଛନ୍ତି ସେମାନଙ୍କ ପାଇଁ ପାଇଲଟ୍‌ ରାଜସ୍ଥାନ ସରକାରରେ ମନ୍ତ୍ରୀ ପଦ ଚାହିଛନ୍ତି। କଂଗ୍ରେସ ନେତା ରାଜୀବ ସତବ ଦିଲ୍ଲୀରୁ ପାଇଲଟ୍‌ଙ୍କ ବାର୍ତ୍ତା ସହ ଗେହଲଟ୍‌ଙ୍କ ଶିବିରରେ ପହଞ୍ଚିବେ ବୋଲି କୁହାଯାଉଛି।

ତେବେ ଖାଲି ଏତିକି ନୁହେଁ ପାଇଲଟ୍‌ ଗେହଲଟ୍‌ଙ୍କଠାରୁ ଆହୁରି ୨ଟି ଦାବି ପୂରଣ କରିବା‌କୁ ଚାହିଛନ୍ତି। ୪ ବିଶ୍ବସ୍ତଙ୍କ ପାଇଁ ମନ୍ତ୍ରୀପଦ ବାଦ୍‌ ପାଇଲଟ୍‌ ମଧ୍ୟ ଗୃହ ଏବଂ ଅର୍ଥ ବିଭାଗ ଚାହିଛନ୍ତି। ପାଇଲଟ୍‌ ପୁଣିଥରେ ପିସିସି ମୁଖ୍ୟ ପଦ ଚାହାନ୍ତି। ଆଜି କଂଗ୍ରେସ ନେତା ରଘୁବୀର ମୀନା କହିଥିଲେ ଯଦି, ବିଦ୍ରୋହ ଜାରି ରହେ ଏବଂ ବିଦ୍ରୋହୀ ବିଧାୟକମାନେ ବିଧାୟକ ଦଳ ବୈଠକ‌ରେ ଅଂଶଗ୍ରହଣ ନକରନ୍ତି ତେବେ ସଚିନ ପାଇଲଟ୍‌ଙ୍କୁ ପିସିସି ସଭାପତି ପଦରୁ ହଟାଯିବ। କିନ୍ତୁ ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା‌ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ପାଇଲଟ୍‌ଙ୍କୁ ଅନୁରୋଧ କରିବ‌ା ପରେ ପାଇଲଟ୍‌ ଏହି ଦାବିମାନ ରଖିଛନ୍ତି।

କାହିଁକି ଭେଟିନଥିଲେ ଗାନ୍ଧୀ ପରିବାର

ନୂଆଦିଲ୍ଲୀ: ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ନିଜର ବହୁ ସଂଖ୍ୟକ ସମର୍ଥକ ବିଧାୟକଙ୍କ ସହିତ ଗତକାଲି ଦିଲ୍ଲୀରେ ଡେରା ପକାଇଥିଲେ ମଧ୍ୟ ଦଳର ସଭାନେତ୍ରୀ ସୋନିଆ ଗାନ୍ଧୀ କିମ୍ବା ରାହୁଲ ଗାନ୍ଧୀ ପାଇଲଟ୍‌ଙ୍କୁ ନଭେଟିବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ରାଜସ୍ଥାନରେ କଂଗ୍ରେସ ସରକାରର ଭାଗ୍ୟ ପାଇଲଟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରୁଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ ସାକ୍ଷାତ ପ୍ରସ୍ତାବକୁ ଗାନ୍ଧୀ ପରିବାର ଏଡ଼ାଇ ଯାଇଥିଲେ। ପାଇଲଟ କୌଣସି ସର୍ତ୍ତ ନରଖି ( ବିଶେଷ କରି ମୁଖ୍ୟମନ୍ତ୍ରୀ ପଦକୁ ନେଇ) ଆଲୋଚନା ପାଇଁ ଆସିଲେ ହିଁ ଏହାକୁ ଗ୍ରହଣ କରାଯିବ ବୋଲି ତାଙ୍କୁ ଗାନ୍ଧୀ ପରିବାର ସହ ଘନିଷ୍ଠ ଥିବା ନେତାଙ୍କ ଦ୍ବାରା ଜଣାଇ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ପଦକୁ ନେଇ ପାଇଲଟ୍‌ଙ୍କ କୌଣସି ବୁଝାମଣା କରିବାକୁ କଂଗ୍ରେସ ଚାହୁନାହିଁ ବୋଲି ସ୍ପଷ୍ଟ କରିଦେବାପରେ ପାଇଲଟ ମଧ୍ୟ ତାଙ୍କ ରଣନୀତି ବଦଳାଇଥିଲେ ଏବଂ ଦଳ ବିରୋଧୀ ଆଭିମୁଖ୍ୟକୁ ଅଧିକ କଠୋର କରିଥିଲେ। ୩୦ ଜଣ ବିଧାୟକଙ୍କ ସମର୍ଥନ ରହିଛି ବୋଲି ଦାବି କରୁଥିବା ପାଇଲଟ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ପ୍ରାୟ ୪୦ ମିନିଟ୍‌ ପର୍ଯ୍ୟନ୍ତ ଆଲୋଚନା କରିଥିଲେ। ପାଇଲଟ୍‌ ରାଜସ୍ଥାନରେ କଂଗ୍ରେସ ସରକାରକୁ ଭାଙ୍ଗିବାପାଇଁ ବିଜେପି ସହିତ ସିଧାସଳଖ ସମ୍ପର୍କରେ ଅଛନ୍ତି ବୋଲି କଂଗ୍ରେସ ନେତାମାନେ ବୟାନ ଦେଇଥିଲେ ଏବଂ ପାଇଲଟ୍‌ ମଧ୍ୟ ସଂଖ୍ୟାଲଘୁ ସରକାର ଅଧିକ ଦିନ ତିଷ୍ଠି ପାରିବନି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ସହିତ ଗାନ୍ଧୀ ପରିବାର ଦୃଢ଼ ଭାବେ ରହିଛି ଏବଂ ୪୨ ବର୍ଷୀୟ ପାଇଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ କରାଯିବାର ପ୍ରଶ୍ନ ଉଠୁନାହିଁ ବୋଲି ଏକ ପ୍ରକାର ସ୍ପଷ୍ଟ କରିଦେଇଛି କଂଗ୍ରେସ। ତେଣୁ ସୋନିଆ ଓ ରାହୁଲ ପାଇଲଟ୍‌ଙ୍କ ସହିତ ଆଲୋଚନା କରିବାକୁ ଚାହିନଥିଲେ ଏବଂ ତାଙ୍କୁ ତୁରନ୍ତ ରାଜସ୍ଥାନ ଫେରିଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ସମ୍ବନ୍ଧିତ ଖବର