ଗିରଫ ହେବା ପରେ ସଚିନ ଭାଜେଙ୍କ ବ୍ୟାଙ୍କ ଖାତାରୁ ସାଢେ ୨୬ ଲକ୍ଷ ଉଠାଯାଇଛି, ଲକରରୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଗାଏବ : ଏନଆଇଏ

ମୁମ୍ବାଇ : ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ଶନିବାରଦିନ ନିଲମ୍ବିତ ପୁଲିସ ଅଫିସର ସଚିନ ଭାଜେଙ୍କ ଏନଆଇଏ ହାଜତ ମିଆଦକୁ ଏପ୍ରିଲ ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଭାଜେଙ୍କ ବିରୋଧରେ କେତେକ ଚାଞ୍ଚଲ୍ୟକର ପ୍ରମାଣ ମିଳିଥିବା ଏନଆଇଏ କୋର୍ଟଙ୍କୁ ଜଣାଇବା ପରେ କୋର୍ଟ ହାଜତ ମିଆଦ ବୃଦ୍ଧି ଆବେଦନକୁ ମଂଜୁର କରିଥିଲେ ।

ଏନଆଇଏ କହିଛି ଯେ ଭାଜେ ଗିରଫ ହେବା ପରେ ତାଙ୍କ ବ୍ୟାଙ୍କ ଖାତାରୁ ପ୍ରାୟ ୨୬. ୫ ଲକ୍ଷ ଟଙ୍କା ଉଠାଯାଇଛି । ଏହି ବ୍ୟାଙ୍କ ଖାତାଟି ଭାଜେ ଓ ଆଉ ଜଣେ ବ୍ୟକ୍ତିଙ୍କ ନାମରେ ମିଳିତଭାବେ ଥିଲା । କିନ୍ତୁ ମାର୍ଚ୍ଚ ୧୩ରେ ଭାଜେ ଗିରଫ ହେବାର ୫ ଦିନ ପରେ ଅର୍ଥାତ ମାର୍ଚ୍ଚ ୧୮ରେ ଏହି ଖାତାରୁ ୨୬.୫ ଲକ୍ଷ ଟଙ୍କା ଉଠାଇ ନିଆଯାଇଥିଲା । ସେହିପରି ଭାଜେଙ୍କ ବ୍ୟାଙ୍କ ଲକରରୁ ମଧ୍ୟ କେତେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର କାଢିନିଆଯାଇଛି । ଏଗୁଡ଼ିକ ଗୁରତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ହୋଇପାରେ ବୋଲି ଏନଆଇଏ ମନେକରୁଛି ।

ସେହିପରି ଭାଜେଙ୍କ ଘରୁ ଜଣେ ଅଜ୍ଞାତ ବ୍ୟକ୍ତିର ପାସପୋର୍ଟ ମିଳିଛି । ସେହି ବ୍ୟକ୍ତି କିଏ ସେ ଏବେ କେଉଁଠି ଅଛି ତାହା ତଦନ୍ତ ସାପେକ୍ଷ ବୋଲି ଏନଆଇଏ କୋର୍ଟଙ୍କୁ ଜଣାଇଛି । ଅନ୍ୟପକ୍ଷରେ ମାର୍ଚ୍ଚ ୩, ଅର୍ଥାତ ହିରେନଙ୍କ ମୃତଦେହ ମିଳିବାର ଦିନକ ପୂର୍ବରୁ ଭାଜେ କ୍ରାଇମ ସିନ (ଅପରାଧ ସ୍ଥାନ)ରେ ଥିଲେ ।

ସମ୍ବନ୍ଧିତ ଖବର