ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେ ମନସୁଖ ହିରେନ ହତ୍ୟା ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ: ମହାରାଷ୍ଟ୍ର ଏଟିଏସ

ମୁମ୍ବାଇ: ବ୍ୟବସାୟୀ ମନସୁଖ ହିରେନଙ୍କ ହତ୍ୟା ମାମଲାରେ ଆସିଲା ନୂଆ ମୋଡ଼। କିଛି ଦିନ ତଳେ ମନସୁଖ ହିରେନଙ୍କ ହତ୍ୟା ମାମଲାର ସମାଧାନ ହୋଇଥିବା ନେଇ ମହାରାଷ୍ଟ୍ର ଏଟିଏସ ଦାବି କରିଥିବା ‌ବେଳେ ଆଜି ଏହି ଘଟଣାକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି ଏଟିଏସ୍ ମୁଖ୍ୟ ଜୟ ଜିତ ସିଂ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କ ଘର ଆଗରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖିବା ଘଟଣାରେ ଏନଆଇଏ ଦ୍ବାରା ଗିରଫ ହୋଇଥିବା ଏନକାଉଣ୍ଟର ସ୍ପେଶାଲିଷ୍ଟ ସଚିନ ଭାଜେ ହିରେନଙ୍କୁ ହତ୍ୟା କରିବାରେ ମୁଖ୍ୟ ଭୂମିକା ନିଭାଇଥିବା କହିଛନ୍ତି ଏଟିଏସ ମୁଖ୍ୟ।

ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଏଟିଏସ୍ ମୁଖ୍ୟ ଜୟ ଜିତ ସିଂ ଦାବି କରିଛନ୍ତି ଯେ, ଗିରଫ ଅଧିକାରୀ ସଚିନ ଭାଜେ ବ୍ୟବସାୟୀ ହିରେନଙ୍କ ହତ୍ୟା ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀ। ତେବେ ଏଭଳି କରିବା ପଛରେ ଭାଜେଙ୍କ ଉଦ୍ଦେଶ୍ୟ କ’ଣ ଥିଲା, ସେ ନେଇ ସବିଶେଷ ତଥ୍ୟ ଦେଇନାହିଁ ମହାରାଷ୍ଟ୍ର ଏଟିଏସ। ହତ୍ୟା ମାମଲାର ଅନୁସନ୍ଧାନ କରୁଥିବା ଏଟିଏସ୍ ସ୍କ୍ବାଡ ଏହା ମଧ୍ୟ କହିଛନ୍ତି ଯେ, ହିରେନଙ୍କୁ ହତ୍ୟା କରାଯିବାବେଳେ ସଚିନ ଭାଜେ ଉପସ୍ଥିତ ନଥାଇ ପାରନ୍ତି, କିନ୍ତୁ ହତ୍ୟା ପାଇଁ ନିର୍ଦ୍ଦେଶ ଦେଇଥାଇ ପାରନ୍ତି। ତଦନ୍ତକାରୀ ଦଳ ପୂର୍ବରୁ ଦାବି କରିଥିଲା ଯେ, ମୁଖ୍ୟ ଅଭିଯୁକ୍ତ ସଚିନ ଭାଜେଙ୍କୁ ପଚରାଉଚରା ନକରି ମଧ୍ୟ ସେମାନେ ହତ୍ୟା ରହସ୍ୟର ପର୍ଦ୍ଦାଫାସ କରିଛନ୍ତି।

opindia

ଗତ ରବିବାର ଏଟିଏସର ଡିଆଇଜି ଶିବଦୀପ ଲାଣ୍ଡେ ଫେସବୁକ ପୋଷ୍ଟ କରି ଲେଖିଥିଲେ ଯେ, ମନସୁଖ ହିରେନଙ୍କ ହତ୍ୟା ମାମଲାର ସମାଧାନ ହୋଇଛି। ମୋର ସମସ୍ତ ଏଟିଏସ୍ ପୁଲିସ ଫୋର୍ସ ସହକର୍ମୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଏହି ମାମଲାର ଆଇନଗତ ସମାଧାନ ପାଇଁ ଦିନରାତି କାମ କରିଥିଲେ। ଏହି ମାମଲା ମୋ ପୁଲିସ କ୍ୟାରିୟରର ସବୁଠାରୁ ଜଟିଳ ମାମଲା ଥିଲା।

ସମ୍ବନ୍ଧିତ ଖବର