କୋଲକାତା : ବିବାହର ୧୦ ବର୍ଷ ପରେ ସନ୍ତାନ ନହେବାରୁ ତାନ୍ତ୍ରିକର ନିର୍ଦ୍ଦେଶରେ ଜଣେ ବ୍ୟକ୍ତି ନାବାଳିକାକୁ ହତ୍ୟା କରିଛି। ନବରାତ୍ରୀ ସମୟରେ ନରବଳି ଦେଲେ ପତ୍ନୀ ସନ୍ତାନ ସମ୍ଭବ ହେବା ଆଶାରେ ଏଭଳି ନାରକୀୟ କାଣ୍ଡ କରିଛି। ପଶ୍ଚିମବଙ୍ଗର ତିଲଜଲାରେ ଘଟିଥିବା ଏହି ଘଟଣାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ତିଲଜଲାର ଏକ ଫ୍ଲାଟ୍ରେ ବିହାର ସମସ୍ତିପୁର ବାସିନ୍ଦା ଆଲୋକ କୁମାର ସପତ୍ନୀକ ରହନ୍ତି। ଦୁହେଁ ଏକ ଗଞ୍ଜି କାରଖାନାରେ କାମ କରନ୍ତି। ୨୦୧୬ରେ ସେମାନଙ୍କ ବିବାହ ହୋଇଥିଲେ ହେଁ କୌଣସି ସନ୍ତାନ ସନ୍ତତି ହେଉ ନଥିଲା। ଜଣେ ତାନ୍ତ୍ରିକର ନିର୍ଦ୍ଦେଶରେ ସେ ନରବଳି ଯୋଗାଡ଼ରେ ଥିଲେ। ରବିବାର ସକାଳେ ଫ୍ଲାଟ ତଳେ ଅଳିଆ ଫିଙ୍ଗିବାକୁ ଆସିଥିବା ୭ ବର୍ଷୀୟା ପଡ଼ୋଶୀ ଝିଅକୁ ଟାର୍ଗେଟ କରିଥିଲା।
ଝିଅଟି ଅଳିଆ ପକାଇବାକୁ ଯାଉଥିବାବେଳେ କୁକୁର ଭୁକିବାରୁ ସେ ଫ୍ଲାଟକୁ ଦୌଡ଼ି ଆସିଥିଲା। ଏହି ସମୟରେ ଆଲୋକ ତାକୁ ସିଧା ତାଙ୍କ ଫ୍ଲାଟ ଭିତରକୁ ଧରି ନେଇଥିଲା। ଏହି ଝିଅକୁ ହତ୍ୟାକରିବା ପରେ ସେ ଫୋନରେ ତାନ୍ତ୍ରିକ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲା।
ଅନ୍ୟପକ୍ଷରେ ଝିଅ ନିଖୋଜ ଖବର ଘରଲୋକେ ପୁଲିସକୁ ଦେଇଥିଲେ। ପୁଲିସ ଫ୍ଲାଟରେ ପହଞ୍ଚି ପଡ଼ୋଶୀମାନଙ୍କୁ ପଚରା ଉଚରା କରିଥିଲା। ଆଲୋକର ଶାରୀରିକ ଆଚରଣ ଦେଖି ପୁଲିସ ସନ୍ଦେହ କରି ଧମକାଇଥିଲା। ଆଲୋକ ସବୁ ସତ ମାନି ଯାଇଥିଲା। ପୁଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଆଲୋକକୁ ଗିରଫ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/dead.jpg)