ଅର୍ଥମନ୍ତ୍ରାଳୟ କର୍ମଚାରୀଙ୍କ ବଡ଼ ତ୍ୟାଗ, ପିତୃବିୟୋଗ ସତ୍ତ୍ୱେ ବଜେଟ ଛାପା କାର୍ଯ୍ୟ ଅଧାରୁ ଛାଡ଼ି ଗଲେ ନାହିଁ

ନୂଆଦିଲ୍ଲୀ : ଆସନ୍ତା ଶନିବାର ଅର୍ଥାତ ଫେବ୍ରୁଆରି ୧ ତାରିଖରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ ଉପସ୍ଥାପନ କରିବେ । ବଜେଟ ପୁସ୍ତିକା ଛପା କାର୍ଯ୍ୟ ଗତ ଜାନୁଆରି ୨୦ତାରିଖରୁ ଆରମ୍ଭ ହୋଇଛି । ପରମ୍ପରା ଅନୁସାରେ ପାର୍ଲାମେଣ୍ଟରେ ବଜେଟ ଉପସ୍ଥାପନ ହେବାଯାଏଁ ପ୍ରାୟ ଶହେରୁ ଅଧିକ କର୍ମଚାରୀ ନର୍ଥବ୍ଲକ ଭିତରେ କଡ଼ା ସୁରକ୍ଷା ଭିତରେ ରହନ୍ତି ଏବଂ ସେମାନଙ୍କର ବାହ୍ୟ ଜଗତ ସହ ସଂପର୍କ ରହେ ନାହିଁ ।

 

 

କିନ୍ତୁ ଇତି ମଧ୍ୟରେ ଏକ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଗତ ୨୬ ତାରିଖରେ ବଜେଟ୍‌ ଛାପା ଦାୟିତ୍ୱରେ ଥିବା ଉପ-ପ୍ରେସ ପରିଚାଳକ କୁଳଦୀପ ଶର୍ମାଙ୍କ ପିତୃବିୟୋଗ ହୋଇଯାଇଛି । ଏହା ସତ୍ତ୍ୱେ ସେ ଅର୍ଥ ମନ୍ତ୍ରାଳୟର ପ୍ରେସ ନ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ । ଶ୍ରୀ ଶର୍ମା ଗତ ୩୧ ବର୍ଷ ହେଲା ବଜେଟ ଛାପା କାର୍ଯ୍ୟ ବେଶ ଦକ୍ଷତାର ସହ ନିର୍ବାହ କରିଆସୁଛନ୍ତି । ତାଙ୍କର ଏହି ତ୍ୟାଗ ଓ କର୍ତ୍ତବ୍ୟବୋଧ ପାଇଁ ଅର୍ଥମନ୍ତ୍ରାଳୟ ପକ୍ଷରୁ ଟ୍ଵିଟ କରି ପ୍ରସଂଶା କରାଯାଇଛି ।

ପ୍ରଚଳିତ ପରାମ୍ପରା ଅନୁସାରେ, ସଂସଦରେ ବଜେଟ୍ ଉପସ୍ଥାପନ ହେବା ପରେ ହିଁ ଯାଇ ବଜେଟ ସହ ସଂପୃକ୍ତ କର୍ମଚାରୀ ସେଠାରୁ ବାହାରକୁ ଆସିବେ। ବାର୍ଷିକ ବଜେଟ ପ୍ରସ୍ତାବରେ ରଖାଯାଇଥିବା ବିଷୟ ଗୁଡ଼ିକ ଯେଭଳି ବାହାର ଲୋକଙ୍କ ନିକଟରେ ନ ପହଞ୍ଚିବ ସେଥିପାଇଁ ଏହି ସତର୍କତା ଅବଲମ୍ବନ କରାଯାଇଥାଏ।

ସମ୍ବନ୍ଧିତ ଖବର