ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ଏକ ଗାଁ ପେରିଞ୍ଚେରୀ ଏବଂ ଏହା ବାମପନ୍ଥୀଙ୍କ ଏକ ଗଡ଼ ଭାବେ ପରିଚିତ । ୧୯୯୪ ମସିହାରେ ଗ୍ରାମର ଜଣେ ଶିକ୍ଷକ ଘରକୁ ଫେରୁଥିବା ବେଳେ ପଛପଟୁ କିଛି ଲୋକ ତାଙ୍କୁ ଘେରିଯାଇ ଘାତକ ଆକ୍ରମଣ କରିଥିଲେ।  ଆକ୍ରମଣକାରୀମାନେ ଶିକ୍ଷକଙ୍କ ଉପରକୁ ପ୍ରଥମେ ବୋମାମାଡ଼ କରିଥିଲେ ଏବଂ ପରେ ତାଙ୍କର ଦୁଇ ଗୋଡ଼ କାଟି ଦିଆଯାଇଥିଲା। ଭୟରେ ସ୍ଥାନୀୟ ଲୋକେ ଉକ୍ତ ଶିକ୍ଷକଙ୍କୁ ସାହାଯ୍ୟ କରିବାକୁ ଆସିନଥିଲେ।   ପ୍ରଚୁର ରକ୍ତସ୍ରାବ ଯୋଗୁଁ ଶିକ୍ଷକଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା।   ସେଦିନର ସେହି ଶିକ୍ଷକ ସି ସଦାନନ୍ଦନ ମାଷ୍ଟର ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ବାରା ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। 

Advertisment

ସଦାନନ୍ଦନ  ସିପିଆଇ(ଏମ୍) ସମର୍ଥକଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଗାଁ ପେରିଞ୍ଚେରୀ ବାମପନ୍ଥୀଙ୍କ ଗଡ଼ ଥିଲା। କିନ୍ତୁ ସନାନନ୍ଦନଙ୍କ ବିଚାରଧାରା ଭିନ୍ନ ଥିଲା। ସେ କଲେଜରେ ପଢ଼ିବା ସମୟରେ  ଏବିଭିପି ମାଧ୍ୟମରେ ଆର୍‌ଏସ୍‌ଏସ୍‌ରେ ଯୋଗ ଦେଇଥିଲେ ଏବଂ ୧୯୮୪ରେ ସଂଘର ଶାଖାରେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଥିଲେ । ତେବେ ତାଙ୍କୁ ଭିନ୍ନ ବିଚାରଧାରା ପାଇଁ ବହୁମୂଲ୍ୟ ଦେବାକୁ ପଡ଼ିଛି। ୨୫ ଜାନୁଆରି ୧୯୯୪ର ସେହି କାଳରାତ୍ରୀରେ ରାସ୍ତାରେ ଜଣେ ଶିକ୍ଷକଙ୍କ ରକ୍ତ ବହିଗଲା ଏବଂ ସେହିଦିନଠାରୁ ଉକ୍ତ ଅଂଚଳରେ ସାହସ, ସେବା ଓ ଆଦର୍ଶର ଏକ ନୂଆ ଧାରା ପ୍ରବାହିତ ହେଲା।

ସେଦିନର ଭୟାବହ ଘଟଣାକୁ ମନେ ପକାଇ ସଦାନନ୍ଦନ କହିଛନ୍ତି, ବୋମା ଫିଙ୍ଗି ପ୍ରଥମେ ଭୟ ସୃଷ୍ଟି  କରାଯାଇଥିଲା। ଆକ୍ରମଣରେ ମୁଁ ତଳେ ପଡ଼ିଯିବା ପରେ  ଉଭୟ ଗୋଡ଼ ଆଣ୍ଠୁ ତଳକୁ କାଟି ଦିଆଯାଇଥିଲା। ଶେଷରେ ପୁଲିସ ମୋତେ ଉଠାଇ  ଡାକ୍ତରଖାନା ନେଇଥିଲା। ଅନେକ ମାସର ଚିକିତ୍ସା ପରେ ଏବଂ ଉଭୟ ଗୋଡ଼ରେ କୃତ୍ରିମ ଅଙ୍ଗ ପ୍ରତିରୋପଣ  ପରେ ମୁଁ ଚାଲିବା ଆରମ୍ଭ କରିଥିଲି। ସଦାନନ୍ଦନ ଅବହେଳିତ ପିଲାଙ୍କୁ ପାଠ ପଢ଼ାଇବାର ସଂକଳ୍ପ ନେଇ ସେ ଦିଗରେ ଅହରହ କାମ ଜାରି ରଖିଲେ। ସଂଘ ପରିବାର ତାଙ୍କୁ ସବୁ ସମର୍ଥନ ଯୋଗାଇଥିଲା। ସମାଜସେବା ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସବୁ ମହଲରୁ ଏବେ ଭୂୟସୀ ପ୍ରଶଂସା ପାଉଛନ୍ତି।