ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରମନ୍ନା କହିଛନ୍ତି ଯେ ଡାକ୍ତରଙ୍କ ବିରୋଧରେ ବଢୁଥିବା ହିଂସାକୁ ଦେଖି ସେ ଅତ୍ୟନ୍ତ ଦୁଃଖିତ।
ନୂଆଦିଲ୍ଲୀରେ ଏକ ପୁସ୍ତକ ଉନ୍ମୋଚନ କରିବା ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ ରମନ୍ନା କହିଛନ୍ତି ଯେ ସାଧାସିଧା ଏବଂ ପରିଶ୍ରମୀ ଡାକ୍ତରଙ୍କ ବିରୋଧରେ ଅନେକ ମିଥ୍ୟା ମାମଲା ରୁଜୁ କରାଯାଉଛି ଏବଂ ସେମାନଙ୍କୁ ଏକ ଉତ୍ତମ ଏବଂ ଅଧିକ ସୁରକ୍ଷିତ କାର୍ଯ୍ୟ ପରିବେଶ ଆବଶ୍ୟକ। ସେ କହିଛନ୍ତି ଯେ ଏ କ୍ଷେତ୍ରରେ ବୃତ୍ତିଗତ ଡାକ୍ତରୀ ସଙ୍ଗଠନଗୁଡ଼ିକ ବହୁତ ଗୁରୁତ୍ୱ ବହନ କରନ୍ତି ଏବଂ ସେମାନଙ୍କୁ ଦାବିଗୁଡିକ ଉପରେ ଆଲୋକପାତ କରିବାରେ ସକ୍ରିୟ ହେବାକୁ ସେ ପରାମର୍ଶ ଦେଇଛନ୍ତି।
’ଆଟଲାସ୍ ଅଫ୍ ବ୍ରେଷ୍ଟ ଏଲାଷ୍ଟୋଗ୍ରାଫି ଆଣ୍ଡ ଅଲଟ୍ରାସାଉଣ୍ଡ ଗାଇଡେଡ୍ ଫାଇନ୍ ନିଡଲ୍ ସାଇଟୋଲୋଜି’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିବା ପରେ ଜଷ୍ଟିସ ରମନ୍ନା କହିଛନ୍ତି ଯେ ଡାକ୍ତରଙ୍କ ବୃତ୍ତି ବୋଧହୁଏ ଏକମାତ୍ର ବୃତ୍ତି ଯାହା ଗାନ୍ଧୀଜୀଙ୍କ ନୀତି ଅନୁସରଣ କରେ - ମଣିଷର ସେବା ହେଉଛି ଭଗବାନଙ୍କ ସେବା।
ଲେଖକଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନ ବିଚାରପତି ରମନ୍ନା ମଧ୍ୟ ମହିଳାଙ୍କ ସ୍ୱାସ୍ଥ୍ୟର ବିଭନ୍ନ ଦିଗକୁ ଆଲୋକପାତ କରିଥିଲେ। ମହିଳାମାନେ ଜନସଂଖ୍ୟାର ୫୦ ପ୍ରତିଶତ ବୋଲି ସୂଚାଇ ସେ କହିଥିଲେ ଯେ ସେମାନଙ୍କ ସ୍ୱାସ୍ଥ୍ୟ ଆମ ସମାଜ ଏବଂ ନୀତିରେ ସମାନ ଧ୍ୟାନ ଏବଂ ପ୍ରତିଫଳନ ରଖିବା ଆବଶ୍ୟକ। କିନ୍ତୁ ଅନେକ ସାମାଜିକ-ସାଂସ୍କୃତିକ କାରଣ ମହିଳାମାନଙ୍କୁ ସ୍ୱାସ୍ଥ୍ୟ ଉପରେ ସର୍ବୋତ୍ତମ ସମ୍ଭବ ଧ୍ୟାନ ପାଇବାକୁ ବାରଣ କରିଥାଏ। ମହିଳାମାନେ ପ୍ରାୟତଃ ଅନ୍ୟମାନଙ୍କ ଯତ୍ନ ନିଅନ୍ତି ତଥାପି, ଯେତେବେଳେ ନିଜ ସ୍ୱାସ୍ଥ୍ୟ କଥା ଆସେ, ଏହାକୁ ପ୍ରାୟତଃ ଦମନ ଏବଂ ଅଣଦେଖା କରାଯାଏ।
ପ୍ରଧାନ ବିଚାରପତି ରମନ୍ନା କହିଛନ୍ତି ଯେ ମହିଳାଙ୍କ ସ୍ୱାସ୍ଥ୍ୟକୁ ଘେରି ରହିଥିବା ମନୋଭାବକୁ ଏବେ ପରିବର୍ତ୍ତନ କରିବାର ସମୟ ଆସିଛି। ସ୍ତନ କର୍କଟ ସମାଜରେ ଚିନ୍ତାର ଏକ ପ୍ରମୁଖ କାରଣ ହୋଇଯାଉଛି ବୋଲି ସୂଚାଇ ସେ କହିଥିଲେ ଯେ ଏହାର ସାମାଜିକ-ଅର୍ଥନୈତିକ ପ୍ରଭାବକୁ ବିଚାରକୁ ନେଇ ଏହି ରୋଗ ସମଗ୍ର ପରିବାର ପାଇଁ ଅଭିଶାପ ହୋଇପାରେ। ଏହି ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।