ନୂଆଦିଲ୍ଲୀ : ବିଜେପି ସାଂସଦ ତଥା ମାଲେଗାଓଁ ବିସ୍ଫୋରଣ ଅଭିଯୁକ୍ତ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିକୁ ମନୋନୀତ ହୋଇଥିବାରୁ ଏହାକୁ ନେଇ ବିବାଦ ଦେଖାଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୨୧ ଜଣିଆ ସଦସ୍ୟ ବିଶିଷ୍ଟ ସଂସଦୀୟ ପରାମର୍ଶଦାତା କମିଟିରେ ବିଭିନ୍ନ ବରିଷ୍ଠ ନେତାଙ୍କ ସମେତ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମନୋନୀତ କରାଯାଇଛି। କମିଟିରେ ପିଏସ୍ଏ (ଜନ ସୁରକ୍ଷା ଆଇନ) ଅଧୀନରେ ଅଟକ ଥିବା ଫାରୁକ୍ ଅବଦୁଲ୍ଲା, ଟିଏମ୍ସିର ସୌଗତ ରାୟ, ଡିଏମ୍କେର ଏ ରାଜା ଏବଂ ଏନ୍ସିପି ସୁପ୍ରିମୋ ଶରଦ ପାୱାର ମଧ୍ୟ ସାମିଲ ଅଛନ୍ତି। କିନ୍ତୁ କମିଟିକୁ ପ୍ରଜ୍ଞାଙ୍କ ମନୋନୟନକୁ ନେଇ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛି। କଂଗ୍ରେସ ସାଧାରଣ ସଚିବ ପ୍ରଣବ ଝା କହିଛନ୍ତି, ଏଭଳି ବ୍ୟକ୍ତିଙ୍କୁ ସରକାରଙ୍କ ଦ୍ବାରା ପ୍ରତିରକ୍ଷା କମିଟିରେ ସାମିଲ କରାଯିବା ଖୁବ୍ ଲଜ୍ଜାଜନକ ଘଟଣା। ଏହି ପଦକ୍ଷେପ ଆମ ଦେଶର ସୁରକ୍ଷା ବାହିନୀ ପ୍ରତି ଏକ ଅପମାନ। ଆମ ଦେଶର ବରିଷ୍ଠ ସାଂସଦ ଏବଂ ପ୍ରତ୍ୟେକ ଭାରତୀୟଙ୍କ ପ୍ରତି ମଧ୍ୟ ଏହା ଏକ ଅପମାନ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏଭଳି ନିଷ୍ପତ୍ତି ଗଣତନ୍ତ୍ର ପାଇଁ ଭଲ ନୁହେଁ। ସବୁକିଛି ସମ୍ବିଧାନ ଦ୍ବାରା ପରିଚାଳିତ ହେଉନାହିଁ, ନୈତିକତା ଦୃଷ୍ଟିକୋଣରୁ ମଧ୍ୟ କିଛି ନିଷ୍ପତ୍ତି ନିଆଯାଇଥାଏ ବୋଲି ଝା କହିଛନ୍ତି। ତେବେ ବିଜେପି ଏହି ପ୍ରସଙ୍ଗରେ ସାଧ୍ବୀଙ୍କ ମନୋନୟନକୁ ସମର୍ଥନ କରିଛି। ବିଜେପି ଏହି ନିଷ୍ପତ୍ତିକୁ ସ୍ବାଗତ କରିଛି। କଂଗ୍ରେସ ଉପରକୁ ବର୍ଷି ବିଜେପି ନେତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, କଂଗ୍ରେସ ଗଣତନ୍ତ୍ର ଉପରୁ ବିଶ୍ବାସ ହରାଉଛି। କଂଗ୍ରେସ ଏହା ଭୁଲିଯାଉଛି ଯେ ସାଧ୍ବୀ ସଂସଦର ଜଣେ ନିର୍ବାଚିତ ସଦସ୍ୟ।
ଉଲ୍ଲେଖଯୋଗ୍ୟ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁର ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ଜଣେ ଅଭିଯୁକ୍ତ। ସ୍ବାସ୍ଥ୍ୟଗତ କାରଣରୁ ସାଧ୍ବୀ ପ୍ରଜ୍ଞାଙ୍କୁ ଜାମିନ ମିଳିଛି। ବେଆଇନ କାର୍ଯ୍ୟକଳାପ ନିରାକରଣ ଆଇନ ଅଧୀନରେ ସାଧ୍ବୀ ପ୍ରଜ୍ଞାଙ୍କ ବିରୋଧରେ ଅନେକ ମାମଲା ରହିଛି। ପ୍ରଜ୍ଞା ସିଂହ ଠାକୁର ପ୍ରଥମ ଥର ପାଇଁ ସାଂସଦ ହୋଇଛନ୍ତି। ସେ ମଧ୍ୟପ୍ରଦେଶର ଭୋପାଳରୁ ନିର୍ବାଚିତ ହୋଇଛନ୍ତି। କମିଟିରେ ଲୋକସଭାରୁ ୧୨ ଜଣ ଏବଂ ରାଜ୍ୟସଭାରୁ ୯ ଜଣ ସଦସ୍ୟ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/sg65sdf6g4sdfa56g4adgggggggggggggg.jpg)