ସାଂସଦ ସାଧ୍ୱୀ ପ୍ରଜ୍ଞାଙ୍କୁ ମିଳିଲା ପାଉଡର୍ ଲଗା ଅଜ୍ଞାତ ଚିଠି, ଏଥିରେ ମୋଦୀ-ଶାହା-ଡୋଭାଲଙ୍କ ଫଟୋରେ ପଡ଼ିଛି ଛକି ଚିହ୍ନ

ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳର ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ଜଣେ ସନ୍ଦିଗ୍ଧଙ୍କ ଚିଠି ମିଳିଛି। ଏହା ଉର୍ଦ୍ଦୁ ଭାଷାରେ ଲେଖା ହୋଇଛି । ଏହି ଚିଠିରେ ପାଉଡର୍ ମଧ୍ୟ ମିଳିଛି । ଫରେନ୍ସିକ୍ ଟିମ୍ ସାଧ୍ୱୀ ପ୍ରଜ୍ଞାଙ୍କ ବାସଭବନରେ ଉପସ୍ଥିତ ରହି ଏହି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

ପାଉଡର୍ ଲଗା ଉର୍ଦ୍ଦୁରେ ଯେଉଁ ଚିଠି ଲେଖା ହୋଇଛି ସେଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା , ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍ ଏବଂ ପ୍ରଜ୍ଞା ସିଂହ ଠାକୁରଙ୍କ ଫଟୋ ଉପରେ ଛକି ଚିହ୍ନ ରହିଛି । ସାଧ୍ୱୀ ପ୍ରଜ୍ଞାଙ୍କ ଜଣେ ଷ୍ଟାଫ୍ ଏହି ପତ୍ରକୁ ଦେଖିବା କ୍ଷଣି ପୁଲିସକୁ ସୂଚନା ଦେଇଥିଲେ । ଏହାପରେ ସାଂସଦଙ୍କ ଘରେ ପୁଲିସ୍ ଅଧିକାରୀ ପହଞ୍ଚିଥିଲେ । ପୁଲିସ୍ ଚିଠିକୁ ତନଖି କରିବା ପାଇଁ ଏଫଏସଏଲ୍ ଟିମକୁ ହସ୍ତାନ୍ତର କରିଥିବା ଜଣାଯାଇଛି।

Pragya Thakur Gets Envelopes With 'Harmful Chemicals', Files Complaint
image source-ndtv

ଏହି ଅଜଣା ଚିଠି ମିଳିବା ପରେ ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ଯେ ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହୋଇପାରେ , କିନ୍ତୁ ସେ ଏଥିରେ ଭୟଭୀତ ନୁହନ୍ତି । ଏହି ପତ୍ର ଉର୍ଦ୍ଦୁରେ ଲେଖାଯାଇଥିବା ବେଳେ ଏହା ସହ ଆଉ କିଛି ପତ୍ର ମଧ୍ୟ ସଂଲଗ୍ନ ହୋଇ ରହିଛି । ତାଙ୍କୁ ପୂର୍ବରୁ ମଧ୍ୟ ଏଭଳି ଚିଠି ମିଳିଛି ଏବଂ ପୁଲିସ୍ ମଧ୍ୟ ଏହି ଚିଠି ବିଷୟରେ ଅବଗତ ଅଛି । ଏନେଇ କେବେ କିଛି ତଦନ୍ତ ହୋଇ ନ ଥିବାର ସେ ଅଭିଯୋଗ କରିଛନ୍ତି । ଏହା ଦେଶର ଶତ୍ରୁଙ୍କ ଏକ ବହୁତ ବଡ଼ ଷଡ଼ଯନ୍ତ୍ର ବୋଲି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର କହିଛନ୍ତି ।

ସିଏସପି ଭୂପେନ୍ଦ୍ର ସିଂହଙ୍କ କହିବା ଅନୁଯାୟୀ ,  ଆଇପିସିର ଧାରା ୩୨୬ ଏବଂ ୫୦୭ ଅନୁସାରେ ମାମଲା ରୁଜୁ ହୋଇଛି ।

ସମ୍ବନ୍ଧିତ ଖବର