ମୁମ୍ବାଇ: ମହାରାଷ୍ଟ୍ରର ମାଲେଗାଓଁକୁ ଅତି ଶକ୍ତିଶାଳୀ ବିସ୍ଫୋରଣ ଦୋହଲାଇ ଦେବାର ଦୀର୍ଘ ୧୭ ବର୍ଷ ପରେ ଗୁରୁବାର ଏହି ମାମଲାରେ ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ନେଲ୍ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ୭ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିଲେ। ଦୋଷମୁକ୍ତ ହେବାର ଗୋଟାଏ ଦିନ ପରେ ଆଜି ପ୍ରଜ୍ଞା ସିଂହ ଠାକୁର ଓରଫ ସାଧ୍ବୀ ପ୍ରଜ୍ଞା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ ସମସ୍ୟା ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ତାହା ସାମ୍ନାକୁ ଆସିନାହିଁ।
ଉଲ୍ଲେଖଯୋଗ୍ୟ, ୨୦୦୮ ସେପ୍ଟେମ୍ବର ୨୯ ତାରିଖରେ ହୋଇଥିବା ମାଲେଗାଓଁ ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଶତାଧିକ ଲୋକ ଆହତ ହୋଇଥିଲେ। ପବିତ୍ର ରମଜାନ ମାସରେ ଏହି ବିସ୍ଫୋରଣ ହୋଇଥିଲା। ପ୍ରଥମେ ମହାରାଷ୍ଟ୍ର ଏଟିଏସ୍ (ଆତଙ୍କୀ ନିରୋଧ ସ୍କ୍ବାଡ୍) ଏହି ମାମଲାର ତଦନ୍ତ କରିଥିଲା ଏବଂ ପରେ ୨୦୧୧ରେ ଏହି ମାମଲା ଏନ୍ଆଇଏକୁ ହସ୍ତାନ୍ତର କରାଯାଇଥିଲା। ଏଟିଏସ୍ ଅଭିଯୋଗ ଅନୁଯାୟୀ ମୁସଲମାନଙ୍କ ଦ୍ବାରା ହିନ୍ଦୁଙ୍କ ଉପରେ କରାଯାଇଥିବା ପୂର୍ବ ଅତ୍ୟାଚାରର ପ୍ରତିଶୋଧ ନେବାପାଇଁ ଏହି ବିସ୍ଫୋରଣ ଷଡ୍ଯନ୍ତ୍ର କରାଯାଇଥିଲା ଏବଂ ଏଥିରେ ଅଭିନବ ଭାରତ ଗୋଷ୍ଠୀ ସମ୍ପୃକ୍ତ ଥିଲା। ଏଟିଏସ୍ ଦାବି ଅନୁଯାୟୀ ବିସ୍ଫୋରଣରେ ବ୍ୟବହାର ହୋଇଥିବା ମୋଟର ସାଇକେଲ୍ର ମାଲିକ ହେଉଛନ୍ତି ପ୍ରଜ୍ଞା ଠାକୁର ଯିଏ କି ଏହି ମାମଲାରେ ୨୦୦୮ରେ ଗିରଫ ହୋଇଥିଲେ।
ଗୁରୁବାର କୋର୍ଟ କହିଥିଲେ ଯେ, ରେକର୍ଡରେ କୌଣସି ପ୍ରମାଣ ନାହିଁ ଯେ ପୁରୋହିତ ବୋମା ଖଞ୍ଜିଥିଲେ। ବିଚାରପତି ଲାହୋଟି ମଧ୍ୟ କହିଛନ୍ତି, ପ୍ରଜ୍ଞା ଠାକୁର ଗାଡ଼ିର ମାଲିକ ବୋଲି କୌଣସି ଠୋସ୍ ପ୍ରମାଣ ନାହିଁ। ବିଚାରଣ ପ୍ରକ୍ରିୟାରେ ବାଇକ୍ଟି ପ୍ରଜ୍ଞା ଠାକୁରଙ୍କର ବୋଲି ପ୍ରମାଣ ହୋଇପାରିଲାନି। କୋର୍ଟ ପୁଣିଥରେ କହିଛନ୍ତି, ପ୍ରଜ୍ଞା ଠାକୁର ବିସ୍ଫୋରଣର ୨ ବର୍ଷ ପୂର୍ବେ ସମସ୍ତ ବସ୍ତୁବାଦୀ ଜିନିଷ ଛାଡ଼ି ସନ୍ନ୍ୟାସିନୀ ହୋଇଥିଲେ।