ଲକ୍ଷ୍ନୌ: ଏବେ ଝିଅ ଏବଂ ମହିଳାଙ୍କ ଉପରେ ଧାର୍ମିକ ଗୁରୁଙ୍କ ବୟାନର ଧାରା ଜାରି ରହିଛି। ପୂର୍ବରୁ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ଏବଂ ପ୍ରେମାନନ୍ଦଜୀ ମହାରାଜ ମହିଳାଙ୍କ ଉପରେ ବୟାନ ଦେଇ ବିବାଦୀୟ ହୋଇଥିଲେ। ଏବେ ଏହି ତାଲିକାରେ ସାଧ୍ୱୀ ରୀତମ୍ଭରାଙ୍କ ନାମ ସାମିଲ ହୋଇଛି। ରିଲ୍ସରେ ହିନ୍ଦୁ ମହିଳା ଉଲଗ୍ନ ହୋଇ ଟଙ୍କା ଆୟ କରୁଛନ୍ତି ବୋଲି କହୁଥିବାର ସାଧ୍ୱୀ ରୀତମ୍ଭରାଙ୍କ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି।
ଦିଦି ମା’ ଭାବରେ ପ୍ରସିଦ୍ଧ ସାଧ୍ୱୀ ରୀତମ୍ଭରା ତାଙ୍କର ଏକ ପ୍ରବଚନରେ କହିଥିଲେ ଯେ, ସେ ହିନ୍ଦୁ ଝିଅ ଓ ମହିଳାମାନଙ୍କୁ ଦେଖି ଲଜ୍ଜିତ ଅନୁଭବ କରୁଛନ୍ତି, ଯେଉଁମାନେ ରିଲ୍ସରେ ଉଲଗ୍ନ ହେବାକୁ ପଛାଉ ନାହାନ୍ତି। ଅଶାଳୀନ ନୃତ୍ୟ କରି ଓ ଛୋଟ ଛୋଟ ପୋଷାକ ପିନ୍ଧି ଟଙ୍କା ରୋଜଗାର କରୁଛନ୍ତି। ସେମାନଙ୍କ ସ୍ୱାମୀ ଏବଂ ପିତା ମଧ୍ୟ ଟଙ୍କା ଯୋଗୁଁ ଚୁପ୍ ରହୁଛନ୍ତି। ସେମାନଙ୍କୁ ଆକଟ କରୁନାହାନ୍ତି। ହେଲେ ଯେତେବେଳେ ଘରକୁ ଏଭଳି ଉପାୟରେ ଅର୍ଜନ କରାଯାଇଥିବା ଟଙ୍କା ଆସେ, ସେତେବେଳେ ପୂର୍ବପୁରୁଷମାନେ ସେମାନଙ୍କ ଦୁନିଆରେ ଦୁଃଖ ପାଇବା ଆରମ୍ଭ କରନ୍ତି। ଏଭଳି କହି ସେ ମହିଳାମାନଙ୍କୁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାକୁ ନିବେଦନ କରିଥିଲେ।
ତେବେ ମହିଳାମାନଙ୍କ ଉପରେ ସାଧ୍ୱୀ ରୀତମ୍ଭରା ଦେଇଥିବା ଏହି ବିବୃତି ମାର୍ଚ୍ଚ ମାସର ହୋଇଥିବା ବେଳେ ଏବେ ଏହା ଖୁବ ଭାଇରାଲ ହେଉଛି। ଅନିରୁଦ୍ଧାଚାର୍ଯ୍ୟ ଏବଂ ପ୍ରେମାନନ୍ଦ ଜୀ ମହାରାଜଙ୍କ ବିବୃତିରୁ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ, ୫ ମାସ ପୂର୍ବର ଏହି ଭିଡିଓ ଏବେ ହଠାତ୍ ଟ୍ରେଣ୍ଡିଂ ହେବା ଆରମ୍ଭ କରିଛି। ରାମ ମନ୍ଦିର ଆନ୍ଦୋଳନ ସହିତ ଜଡିତ ସାଧ୍ୱୀ ରୀତମ୍ଭରା ଏବେ ବାତ୍ସଲ୍ୟ ଗ୍ରାମ ନାମରେ ଏକ ଆଶ୍ରମ ଚଳାଉଛନ୍ତି, ଯେଉଁଥିରେ ଅନାଥ ପିଲା ଏବଂ ବିଧବା/ପରିତ୍ୟକ୍ତା ମହିଳାଙ୍କୁ ରଖାଯାଏ।