ନୂଆଦିଲ୍ଲୀ: ବିଶ୍ୱର ସପ୍ତାଶ୍ଚର୍ଯ୍ୟ ତାଜମହଲ ପରିସର ଅପରିଷ୍କାର ହୋଇପଡ଼ିଛି। ଏହି ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀରୁ ଆସୁଛି ଦୁର୍ଗନ୍ଧ । ଚାରିଆଡ଼େ ଜମା ହୋଇଛି କୁଢ଼ କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ  ତାଜ ପରିସରରୁ ଉଠିପାରୁନାହିଁ ଅଳିଆ। ଉଚିତ ସମୟରେ ଦରମା ନମିଳିବାରୁ ସଫେଇ କର୍ମଚାରୀମାନେ କାମ ବନ୍ଦ କରିଦେଇଛନ୍ତି । ଗତ ବୁଧବାର ଠାରୁ ତାଜମହଲର ସଫେଇ ଦାୟିତ୍ବରେ ଥିବା ୨୮ କର୍ମଚାରୀ କାମ ବନ୍ଦ କରିବା ହେତୁ ଏହାର ପରିସର ଅଳିଆ ଆବର୍ଜନାପୂର୍ଣ୍ଣ ହୋଇଉଠିଛି।

Advertisment

publive-image Amar Ujala

ଏହି ସ୍ଥିତି ଜାରି ରହିଲେ ତାଜମହଲକୁ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଧୀରେ ଧୀରେ କମିଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବେତନ ନମିଳିବାରୁ ୨୮ ଜଣ ସଫେଇ କର୍ମଚାରୀ ବୁଧବାର ଓ ଗୁରୁବାର କାମ ବନ୍ଦ ଆନ୍ଦୋଳନ କରିଥିଲେ । ବିଗତ ତିନି ମାସ ଧରି ବିକ୍ଷୋଭ ପ୍ରଦର୍ଶନ କଲେ ମଧ୍ୟ ସଫେଇ କର୍ମଚାରୀଙ୍କୁ ବେତନ ମିଳିନି । ସେଥିପାଇଁ ବାଧ୍ୟହୋଇ କର୍ମଚାରୀମାନେ ଏହି ରାସ୍ତା ଆପଣାଇଛନ୍ତି । ଟଙ୍କା ଅଭାବରୁ ଜଣେ ସଫେଇ କର୍ମଚାରୀଙ୍କ ପତ୍ନୀ ଚିକିତ୍ସା ନପାଇ ମେଡ଼ିକାଲରେ ପ୍ରାଣ ହରାଇବା ପରେ ଆନ୍ଦୋଳନ ତୀବ୍ର ହୋଇଛି ।

ତାଜମହଲକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସନ୍ତି । ବିଦେଶୀ ପର୍ଯ୍ୟଟକମାନେ ଅଧିକ ସଂଖ୍ୟାରେ ତାଜମହଲ ଭ୍ରମଣରେ ଆସିଥାଅଆନ୍ତି।  ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ଭାରତର ଗୌରବ ଉପରେ ଖରାପ ପ୍ରଭାବ ପକାଉଛି । କେନ୍ଦ୍ର ସରକାର ଏ  ଦିଗରେ ସଚେତନ ହେବା ଜରୁରୀ । ସଫେଇ କର୍ମଚାରୀଙ୍କ ସହ ଆଲୋଚନା କରି ଏ ଦିଗରେ ତୁରନ୍ତ ପଦକ୍ଷେପ ନେବା ଉଚିତ ।