କରୋନାର ମୁକାବିଲା ଲାଗି କାର୍ଯ୍ୟ କରୁଥିବା ଦୁଇ ମହିଳା ଡାକ୍ତରଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଦୁର୍ବ୍ୟବହାର ଅଭିଯୋଗ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ କରୋନାର ମୁକାବିଲା ଲାଗି କାର୍ଯ୍ୟ କରୁଥିବା ଦୁଇଜଣ ମହିଳା ଡାକ୍ତରଙ୍କୁ  ଦୁର୍ବ୍ୟବହାର ଏବଂ ନିର୍ଯାତନା ମାମଲା ସାମ୍ନାକୁ ଆସିଛି। ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁଯାୟୀ ଉଭୟ ମହିଳା ଡାକ୍ତର ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ କାର୍ଯ୍ୟରତ ଅଛନ୍ତି । ସେଦୁହେଁ ବୁଧବାର ଯେତେବେଳେ ଘର ପାଖରେ ଥିବା ବଜାରକୁ ଯାଉଥିଲେ, ସେହି ସମୟରେ ପଡ଼ୋଶୀମାନେ କରୋନା ଭାଇରସ ସଂକ୍ରମଣ ବ୍ୟାପିବା ଅଭିଯୋଗ ଆଣି ଉଭୟଙ୍କୁ ଦୁର୍ବ୍ୟବହାର କରିଥିଲେ ।
ସଫଦରଜଙ୍ଗ ହସ୍ପିଟାଲ ଡାକ୍ତର ରେସିଡେଣ୍ଟ ଆସୋସିଏସନର ସଭାପତି ଡ. ମନୀଷ ଘଟଣା ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ହସ୍ପିଟାଲର ଜରୁରୀକାଳନୀର ୱାର୍ଡରେ କାର୍ଯ୍ୟରତ ୨ ମହିଳା ଡାକ୍ତର ନିଜ ଘର ପାଖରେ ଥିବା ବଜାରକୁ ଫଳ କିଣିବାକୁ ଯାଇଥିଲେ । ସେହି ସମୟରେ ପଡ଼ୋଶୀ ତାଙ୍କୁ କରୋନା ଭାଇରସ ବ୍ୟାପିବା ଅଭିଯୋଗ ଆଣି ପାଟିତୁଣ୍ଡ କରିଥିଲେ । ସେମାନେ ୨ ମହିଳା ଡାକ୍ତରଙ୍କୁ ଦୁର୍ବ୍ୟବହାର କରିବା ସହ ଅଟକାଇବାକୁ ମଧ୍ୟ ଉଦ୍ୟମ କରିଥିଲେ ।
ଡାକ୍ତର ମନୀଷ ଆହୁରି ମଧ୍ୟ କହିଛନ୍ତି ଯେ, ଏହାପରେ ଡାକ୍ତରମାନେ ପୁଲିସ ଥାନାରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଏତଲା ଦିଆଯାଇଛି ।

ସମ୍ବନ୍ଧିତ ଖବର