ସାଗରମାଳା ପରିଯୋଜନା : ଓଡ଼ିଶା‌ର ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ ହେବ

ନୂଆଦିଲ୍ଲୀ : କେନ୍ଦ୍ରରେ ନୂଆ ସରକାର ଦାୟିତ୍ବ ନେବା ପରେ ସାଗରମାଳା ପରିଯୋଜନା ଅନ୍ତର୍ଗତ ଓଡ଼ିଶାରେ କ୍ରିୟାନ୍ବୟନ ହୋଇପାରିନଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଖୁବ୍ ଶୀଘ୍ର ତ୍ବରାନ୍ବିତ ହେବ। ସାଗରମାଳା ପରିଯୋଜନା ଅନ୍ତର୍ଗତ ଗତ ସରକାରଙ୍କ ସମୟରେ ଦେଶରେ ପାଖାପାଖି ୭୩ ପ୍ରକଳ୍ପକୁ ମଞ୍ଜୁରି ମିଳିଥିଲା। ତେବେ ଏହି ପ୍ରକଳ୍ପ କାର୍ଯ୍ୟ ଖୁବ୍‌ଶୀଘ୍ର ତ୍ବରାନ୍ବିତ କରାଯିବ ବୋଲି କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ସାଗରମାଳା ଯୋଜନାରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଗୋଆ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଗୁଜରାଟ ଓ ପଶ୍ଚିମବଙ୍ଗ ଭଳି ଉପକୂଳବର୍ତ୍ତୀ ରାଜ୍ୟମାନଙ୍କରେ ବନ୍ଦର ଗୁଡ଼ିକର ବିକାଶ ଏବଂ ବନ୍ଦର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ସଡ଼କ ଓ ରେଳ ମାର୍ଗର ବିକାଶ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଆଧୁନିକୀ କରଣ, ନୂଆ ବନ୍ଦରର ବିକାଶ, ବନ୍ଦର ସହିତ ଯୋଗାଯୋଗ ବ୍ୟବସ୍ଥାର ସୁଦୃଢିକରଣ ଏବଂ ତଟବର୍ତ୍ତୀ ଅଞ୍ଚଳର କମ୍ୟୁନିଟି (ଗୋଷ୍ଠୀ)କୁ ସକ୍ରିୟ କରିବା ସାଗରମାଳା ପରିଯୋଜନାର ପ୍ରମୁଖ ଲକ୍ଷ୍ୟ।

ସାଗରମାଳା ପରିଯୋଜନାରେ ଅନେକ ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଥିବାବେଳେ କିଛି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ସନ୍ତୋଷଜନକ ରହିଥିବା କୁହାଯାଉଛି। ଓଡ଼ିଶାରେ ସାଗରମାଳା ଯୋଜନା ଅନ୍ତର୍ଗତ ଅନେକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ ହୋଇଥିବା ବେଳେ କିଛି ପ୍ରକଳ୍ପ ଗୁଡ଼ିକର ଡିପିଆର (ବିସ୍ତୃତ ପ୍ରକଳ୍ପ ରିପୋର୍ଟ) ପ୍ରସ୍ତୁତ ହୋଇନଥିବା ଜଣାପଡ଼ିଛି। ଓଡ଼ିଶାର ପାରାଦୀପ ବନ୍ଦର ଆଧୁନିକୀକରଣ ତଥା ବନ୍ଦରର ସଂଯୋଗୀକରଣ ସମ୍ପର୍କିତ ଏକାଧିକ ପ୍ରକଳ୍ପ କ୍ରିୟାନ୍ବିୟନ କରାଯାଉଥିବା ବେଳେ ୧୧୦୩.୪୨ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସିକ୍ୟୁ-୧ ଓ ସିକ୍ୟୁ-୨ ବର୍ଥ‌୍ ମେକାନାଇଜସନ୍ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରାଯାଇ ପାରିନାହିଁ। ସେହିଭଳି ପାରାଦୀପ ବନ୍ଦରକୁ ଏନଏଚ୍-୫୩ରେ ୪ ଥାକିଆରୁ ୬ ଥାକିଆ ସଂଯୋଗ କରିବା ତଥା ରୋଡ଼ ଓ ଫ୍ଲାଇଓଭର ନିର୍ମାଣ ପାଇଁ ଡିପିଆର ପ୍ରସ୍ତୁତ କରାଯାଉଥିବା ଜଣା ପଡ଼ିଛି। କେନ୍ଦ୍ର ଜାହାଜ ଚଳାଚଳା ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ‌େଯ ଯୁଦ୍ଧକାଳୀନ ଭିତ୍ତିରେ ଅସମ୍ପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟ ଶେଷ କରିବା ପାଇଁ ତ୍ବରିତ ପଦକ୍ଷେପ ନିଆଯିବ। ଆଗାମୀ ଦିନରେ କେନ୍ଦ୍ର ସରକାର ସାଗରମାଳା ପରିଯୋଜନା ଅନ୍ତର୍ଗତ ୮ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହାଦ୍ବାରା ଦେଶର ପ୍ରମୁଖ ବନ୍ଦର ଗୁଡ଼ିକର ବିକାଶ ସମ୍ଭବ ହୋଇପାରିବ।

ଗତ ସରକାରରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ନୀତିନ ଜୟରାମ ଗଡକରୀଙ୍କ ନିକଟରେ ଥିଲା। ବର୍ତ୍ତମାନ ଏହି ମନ୍ତ୍ରାଳୟ ଦାୟିତ୍ବ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ବିଭାଗ) ମନସୁଖ ଲାଲ ମଣ୍ଡାଭିୟାଙ୍କ ପାଖରେ ଅଛି। ଏହି ଯୋଜନା ଅନ୍ତର୍ଗତ ସମସ୍ତ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅବଧିରେ ଶେଷ ହେବ ବୋଲି ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର