ଶ୍ରୀନଗର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବେ ୨ ଦିନିଆ ଜମ୍ମୁ କଶ୍ମୀର ଗସ୍ତରେ ଅଛନ୍ତି। ତେବେ କଶ୍ମୀରରେ ପୂର୍ବ ଘଟଣାମାନ ପରି ଏଥର ଗୃହ ମନ୍ତ୍ରୀଙ୍କ ଗସ୍ତ ଅବସରରେ ବିଚ୍ଛିନତାବାଦୀ ଗୋଷ୍ଠୀ ବନ୍ଦ ଡାକରା ଦେଇନାହାନ୍ତି। ଏହା ଗତ ୩ ଦଶନ୍ଧି ମଧ୍ୟରେ ପ୍ରଥମ ଘଟଣା। ପୂର୍ବରୁ ଗୃହମନ୍ତ୍ରୀଙ୍କ ଗସ୍ତ ଅବସରରେ ସବୁବେଳେ ବିଚ୍ଛିନତାବାଦୀ ‌ଗୋଷ୍ଠୀମାନେ କଶ୍ମୀର ଉପତ୍ୟାକାରେ ବନ୍ଦ ଡାକରା ଦେଇଥାନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଶାହଙ୍କ ଗସ୍ତକୁ ବିରୋଧ କରାଯାଇନି। ଗୃହମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବାପରେ ଏହା ଶାହଙ୍କର ପ୍ରଥମ ଜମ୍ମୁ କଶ୍ମୀର ଗସ୍ତ। ଗତକାଲି ସେ ତାଙ୍କ ଗସ୍ତର ପ୍ରଥମ ଦିନ‌ରେ ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକ କରିଥିଲେ। ଶାହ ଆଜି ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ଙ୍କୁ ଭେଟି ରାଜ୍ୟରେ ସୁରକ୍ଷା ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ସେହିପରି ଦେଶର ପ୍ରଥମ ଗୃହମନ୍ତ୍ରୀ ଭାବେ ଅମିତ ଶାହ ପ୍ରଥମ ଥର ପାଇଁ କଶ୍ମୀରରେ ସହିଦ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଗତ ଜୁନ୍‌ ୧୨ ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇ ଯାଇଥିବା ଜମ୍ମୁ କଶ୍ମୀର ପୁଲିସ ଏସଏଚ୍‌ଓ ଆରଶଦ ଅହମଦ ଖାନ୍‌ଙ୍କ ପରିବାର ସଦସ୍ୟଙ୍କୁ ଶାହ ଆଜି ଭେଟିଛନ୍ତି । ଶାହ ଆରଶଦଙ୍କ ପତ୍ନୀ, ୨ ପିଲା ଏବଂ ତାଙ୍କ ବୃଦ୍ଧ ବାପାଙ୍କୁ ଆଶ୍ବାସନା ଦେଇଛନ୍ତି। ଆରଶଦଙ୍କ ପତ୍ନୀଙ୍କୁ ମଧ୍ୟ ଶାହ ଆଜି ଏକ ଚାକିରି ଅଫର୍‌ ଦେଇଛନ୍ତି। ଆସନ୍ତା ଜୁଲାଇ ୧ ତାରିଖରେ ଅମରନାଥ ଯାତ୍ରା ଆରମ୍ଭ ହେଉଥିବାବେଳେ ଯାତ୍ରା ନିମନ୍ତେ କଡ଼ା ସୁରକ୍ଷା ବ୍ୟବସ୍ଥାପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

Advertisment

ଆତଙ୍କବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଶାହ ସୁରକ୍ଷାକର୍ମୀଙ୍କୁ କହିଛନ୍ତି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ଦିଗରେ ଦମନ ନୀତି ବଜାୟ ରଖିବାପାଇଁ ଶାହ କହିଛନ୍ତି। ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନ ଦିଗରେ ଜମ୍ମୁ କଶ୍ମୀର ପୁଲିସ ଏବଂ ସୁରକ୍ଷାକର୍ମୀଙ୍କ ବଳିଷ୍ଠ ଅବଦାନ ପାଇଁ ସେ ପ୍ରଶଂସା କରିଛନ୍ତି।