ଭର୍ଚୁଆଲ୍‌ ରାଲିରେ ବର୍ଷିଲେ ଶାହ ‘କରୋନା ଏକ୍ସପ୍ରେସ’ ମମତାଙ୍କୁ ବିଦା କରିବ

ବିଜେପିର ମୁଖ୍ୟମନ୍ତ୍ରୀ ହିଁ ଲାଗୁ କରିବେ ଆୟୁଷ୍ମାନ ଭାରତ ଯୋଜନା

କୋଲକାତା: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ପଶ୍ଚିମ ବଙ୍ଗ ପାଇଁ ‘ଭର୍ଚୁଆଲ ରୢାଲି’ କରି ମମତା ବାନାର୍ଜୀଙ୍କ ସରକାର ଉପରେ ବର୍ଷିଛନ୍ତି। ଶ୍ରମିକ ଏକ୍ସପ୍ରେସ୍‌କୁ କରୋନା ଏକ୍ସପ୍ରେସ୍‌ ଆଖ୍ୟା ଦେଉଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏହା ଖୁବ୍‌ ମହଙ୍ଗା ପଡ଼ିବ ଏବଂ ‘କରୋନା ଏକ୍ସପ୍ରେସ୍‌’ ହିଁ ମମତାଙ୍କୁ ରାଜ୍ୟରେ କ୍ଷମତାଚ୍ୟୁତ କରିବ ବୋଲି ଶାହ କହିଛନ୍ତି। ରାଜ୍ୟରେ ହିଂସାକୁ ମମତା ସରକାର ଯେତେ ପ୍ରଶ୍ରୟ ଦେବ, ପଦ୍ମଫୁଲ ସେତେ ଫୁଟିବ। ଶ୍ରମିକମାନଙ୍କୁ ଅଣଦେଖା, ସିଏଏକୁ ବିରୋଧ କରିବା ହିଁ ମମତା ବାନାର୍ଜୀଙ୍କ ପାଇଁ ଭାରୀ ପଡ଼ିବ। ସାଧାରଣ ଜନତା ତାଙ୍କୁ ରାଜନୈତିକ ଶରଣାର୍ଥୀ ବନାଇଦେବେ ବୋଲି ଶାହ ଆଜି ଡିଜିଟାଲ ରାଲିକୁ ସମ୍ବୋଧିତ କରି ବଙ୍ଗଳାର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି। ଭ୍ରଷ୍ଟାଚାର, ତୋଳାବାଜି (ବଟି ଆଦାୟ) ପ୍ରଥା ଉଠିଯିବ। ବଙ୍ଗଳା ବିକାଶ ପଥରେ ଆଗେଇବ ବୋଲି ରାଜ୍ୟବାସୀଙ୍କୁ ଆଶା ଦେଖାଇଛନ୍ତି ଶାହ। କେନ୍ଦ୍ରରେ ମୋଦୀ ସରକାରଙ୍କ ଦ୍ବିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଭର୍ଚୁଆଲ୍‌ ରାଲିର ଆୟୋଜନ କରାଯାଉଛି। ବିହାର ଓ ଓଡ଼ିଶା ପରେ ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲିରେ ସମ୍ବୋଧିତ କରିବାକୁ ଯାଇ ପ୍ରଥମେ ଶାହ କହିଲେ, ୨୦୧୪ ମସିହାରୁ ଏ ରାଜ୍ୟରେ ୧୦୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତା ରାଜନୈତିକ ଲଢ଼େଇରେ ବଳି ପଡ଼ିଛନ୍ତି। ମୁଁ ସେମାନଙ୍କ ପରିବାରକୁ ସମ୍ମାନ ଜଣାଉଛି। କାରଣ ସୋନାର ବାଂଲାର ବିକାଶରେ ସେମାନଙ୍କ ଅବଦାନ ଅତୁଳନୀୟ। ମହାମାରୀ କରୋନା ଏବଂ ମହାବାତ୍ୟା ଅମ୍ଫାନରେ ପ୍ରାଣ ହରାଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ରାଜ୍ୟବାସୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ଦେଶ୍ୟ କରି ଶାହ କହିଲେ, ଲୋକସଭା ନିର୍ବାଚନରେ ବିଜେପିକୁ ସମଗ୍ର ଦେଶରେ ୩୦୩ ଆସନ ମିଳିଥିଲେ ହେଁ ବଙ୍ଗଳାର ୧୮ଟି ଆସନ ଆମ ପାଇଁ ମର୍ଯ୍ୟାଦାପୂର୍ଣ୍ଣ। ସେଥିପାଇଁ ରାଜ୍ୟବାସୀଙ୍କ ନିକଟରେ ଆମେ କୃତଜ୍ଞ। ଭବିଷ୍ୟତରେ ପଶ୍ଚିମବଙ୍ଗକୁ ସଂସ୍କାରୀ ବାଂଲା କରିବାକୁ ଚାହୁଁଛୁ। ଆଶା କରୁଛୁ ଏଥିରେ ବି ରାଜ୍ୟବାସୀ ସହଯୋଗ କରିବେ।

ଶାହ କହିଥିଲେ ଯେ ପଶ୍ଚିମବଙ୍ଗ ଏକମାତ୍ର ରାଜ୍ୟ ଯେଉଁଠି ପ୍ରତିଦିନ ରାଜନୈତିକ ହିଂସା ଘଟି ଚାଲିଛି। ଦେଶର ଅନ୍ୟ କୌଣସି ରାଜ୍ୟରେ ଏଭଳି ହେଉନାହିଁ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଏ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଲାଗୁ କରୁନାହାନ୍ତି। ଏହାର ଏକମାତ୍ର କାରଣ ହେଉଛି ମୋଦୀ ସରକାରଙ୍କ ଲୋକପ୍ରିୟତା ବୃଦ୍ଧି ପାଇବା ଭୟ।। ଏହି ଡର ଗୋଡ଼ାଉଛି ମମତା ଦିଦିଙ୍କୁ। କେନ୍ଦ୍ର ଚାହୁଁଛି ଏହି ଯୋଜନା ମାଧ୍ୟମରେ ରାଜ୍ୟର ଗରିବ ଲୋକମାନଙ୍କୁ ୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ଖର୍ଚ୍ଚ ଦେବାକୁ। ହେଲେ ଦିଦି ଏହା କରାଇ ଦେଉ ନାହାନ୍ତି। ରାଜ୍ୟରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବାର ମାତ୍ର ଗୋଟିଏ ମିନିଟ୍‌ ପରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ରାଜ୍ୟର ଗରିବମାନଙ୍କ ଅଧିକାରରେ କଣ୍ଟା ହୋଇ ବସିଛନ୍ତି ରାଜ୍ୟ ସରକାର। କେନ୍ଦ୍ର ବାତ୍ୟା କ୍ଷତିଗ୍ରସ୍ତ କୃଷକମାନଙ୍କୁ ଆର୍ଥିକ ସାହାଯ୍ୟ ଦେବାକୁ ଚାହୁଁଛି। ହେଲେ ରାଜ୍ୟ ସରକାର କୃଷକମାନଙ୍କ ତାଲିକା ପଠାଉ ନାହାନ୍ତି। ଅମ୍ଫାନରେ ପୀଡ଼ିତ କୃଷକମାନଙ୍କୁ କେନ୍ଦ୍ର ସରକାର ୬ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରି ସାରିଛନ୍ତି।

ଭାଷଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଲ୍ଲେଖନୀୟ ଅବଦାନକୁ ଗୋଟି ଗୋଟି କରି ବଖାଣିଥିଲେ ଶାହ। ସେ କହିଲେ, ମମତା ଦିଦି କେନ୍ଦ୍ର ସରକାରଙ୍କ କାମର ହିସାବ ମାଗୁଛନ୍ତି। ହିସାବ ତ ମୁଁ ନେଇକି ଆସିଛି। ଆପଣଙ୍କ ସରକାର କରିଥିବା କାମର ହିସାବ ଆପଣ ଦେଇ ପାରିବେ ତ? ୟୁପିଏ ସରକାର କ୍ଷମତାରେ ଥିବାବେଳେ ଜବାନମାନଙ୍କ ମୁଣ୍ଡ କାଟ୍‌ ହେଉଥିଲା। ସେତେବେଳେ କେହି ପାଟି ଖୋଲୁ ନଥିଲେ। ମୋଦୀ ସରକାର କ୍ଷମତାକୁ ଆସିବା ପରେ ଆନ୍ଦୋଳନ ଆରମ୍ଭ ହୋଇଗଲା। ବିଜେପି କ୍ଷମତାକୁ ଆସିବାର ମାତ୍ର କେଇଦିନ ପରେ ସର୍ଜିକାଲ ଷ୍ଟ୍ରାଇକ୍‌ ଏବଂ ଏୟାର ଷ୍ଟ୍ରାଇକ୍‌ କରି ଉଚିତ ଜବାବ ଦେଇଛି। ସମଗ୍ର ବିଶ୍ବକୁ ବାର୍ତ୍ତା ଦିଆଗଲା ଯେ, ଭାରତୀୟ ଜବାନଙ୍କ ରକ୍ତ ଶସ୍ତା ନୁହେଁ। ରାଜ୍ୟବାସୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଶାହ କହିଲେ, ଆନ୍ଦୋଳନ କରିବା ପାଇଁ ବିଜେପି ବଙ୍ଗଳାର ମାଟିକୁ ଆସି ନାହିଁ କିମ୍ବା କେବଳ ରାଜନୈତିକ ଦଳର ବିସ୍ତାର କରିବାକୁ ଆସିନି। ତୃଣମୂଳ ସ୍ତରରେ ସଂଗଠନକୁ ମଜଭୁତ କରିବା ଏବଂ ଏ ରାଜ୍ୟକୁ ‘ସଂସ୍କାର ବଙ୍ଗଳା’ରେ ପରିଣତ କରିବାକୁ ବିଜେପି ଦୃଢ଼ ସଂକଳ୍ପ ନେଇଛି।

ସମ୍ବନ୍ଧିତ ଖବର