ନୂଆଦିଲ୍ଲୀ: ସେଣ୍ଟ୍ରାଲ ରେଜିଷ୍ଟ୍ରାର ଅଫ୍ କୋଅପରେଟିଭ ସୋସାଇଟି (ସିଆର୍‌ସିଏସ୍‌)-ସାହାରା ରିଫଣ୍ଡ ପୋର୍ଟାଲକୁ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ବ୍ୟାପାର ମନ୍ତ୍ରୀ ଅମିତ ଶାହ ଶୁଭାରମ୍ଭ କରିଛନ୍ତି। ଉକ୍ତ ପୋର୍ଟାଲ https://mocrefund.crcs.gov.in ଜରିଆରେ ଲୋକମାନେ ସେମାନଙ୍କ ଅର୍ଥ ଫେରସ୍ତ ପାଇଁ ଆବେଦନ କରିପାରିବେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଉକ୍ତ ପୋର୍ଟାଲ ଜରିଆରେ ୧୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ଜମା କରିଥିବା ଏକ କୋଟି ନିବେଶକଙ୍କୁ ପ୍ରଥମେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଦେୟ ପ୍ରଦାନ କରାଯିବ।

Advertisment

ଉଲ୍ଲେଖଯୋଗ୍ୟ, ସାହାରା ଗ୍ରୁପ ଅଫ କୋଅପରେଟିଭ ସୋସାଇଟିର ପ୍ରକୃତ ଜମାକାରୀଙ୍କ ବୈଧ ବକେୟା ରାଶି ପ୍ରଦାନ ପାଇଁ ସାହାରା-ସେବି ରିଫଣ୍ଡ ଆକାଉଣ୍ଟରୁ ୫୦୦୦ କୋଟି ଟଙ୍କା ସିଆର୍‌ସିଏସ୍‌କୁ ହସ୍ତାନ୍ତର କରିବା ପାଇଁ ସୁପ୍ରିମକୋର୍ଟ ଚଳିତ ବର୍ଷ ମାର୍ଚ୍ଚ ୨୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ଶ୍ରୀ ଶାହ କହିଥିଲେ, ନିବେଶକମାନଙ୍କୁ ୫୦୦୦ କୋଟି ଟଙ୍କା ଫେରସ୍ତ ପ୍ରକ୍ରିୟା ଆଜି ପରୀକ୍ଷାମୂଳକ ଭାବେ ସ୍ବଚ୍ଛ ଢଙ୍ଗରେ ଆରମ୍ଭ ହୋଇଛି। ଏଥି ସହିତ ୫୦୦୦ କୋଟି ଟଙ୍କା ପୈଠ ସରିବା ପରେ ଅବଶିଷ୍ଟ ନିବେଶକଙ୍କୁ ଟଙ୍କା ଫେରସ୍ତ କରିବାକୁ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ କରାଯିବ ବୋଲି ସେ କହିଛନ୍ତି। ଆମିକସ କ୍ୟୁରି ଆଇନଜୀବୀ ଗୌରବ ଅଗ୍ରୱାଲଙ୍କ ସହାୟତାରେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଆର.ସୁଭାଷ ରେଡ୍ଡି ଏହି ବଣ୍ଟନ ପ୍ରକ୍ରିୟାର ତଦାରଖ କରୁଛନ୍ତି। ସାହାରା ଗ୍ରୁପର ସମବାୟ ସମିତି-ସାହାରା କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ, ସାହାରାୟାନ ୟୁନିଭର୍ସାଲ ମଲ୍ଟିପରପଜ୍‌ ସୋସାଇଟି ଲିମିଟେଡ, ହମାରା ଇଣ୍ଡିଆ କ୍ରେଡିଟ କୋପରେଟିଭ ସୋସାଇଟି ଲିମିଟେଡ ଏବଂ ଷ୍ଟାର୍ସ ବହୁମୁଖୀ ସମବାୟ ସମିତି ଲିମିଟେଡ୍‌ର ପ୍ରକୃତ ଜମାକାରୀଙ୍କ ଦାବି ଦାଖଲ ପାଇଁ ଏହି ପୋର୍ଟାଲ ବିକଶିତ କରାଯାଇଛି। ଏହି ସୋସାଇଟିଗୁଡିକର ପ୍ରକୃତ ଜମାକାରୀମାନେ ପୋର୍ଟାଲରେ ଉପଲବ୍ଧ ଆବେଦନ ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଅପଲୋଡ୍‌ କରି ସେମାନଙ୍କ ଦାବି ଦାଖଲ କରିବେ। ଜମାକାରୀଙ୍କୁ ପରିଚୟ ସୁନିଶ୍ଚିତ କରିବା ପାଇଁ ଆଧାର କାର୍ଡ ମାଧ୍ୟମରେ ଯାଂଚ କରାଯିବ। ପ୍ରକୃତ ଜମାକାରୀମାନେ ଅନଲାଇନ ଦାବି ଦାଖଲର ୪୫ ଦିନ ମଧ୍ୟରେ ସେମାନଙ୍କ ଆଧାର ସଂଯୋଜିତ ବ୍ୟାଙ୍କ ଆକାଉଣ୍ଟରେ ଦେୟ ଜମା କରାଯିବ।

ଅର୍ଥ ଫେରି ପାଇବା ପାଇଁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ: ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ପାଇଁ କେନ୍ଦ୍ର ସମବାୟ ମନ୍ତ୍ରାଳୟ ପକ୍ଷରୁ ଆଜି ଏକ ପୋର୍ଟାଲ ଖୋଲାଯାଇଛି। ଅର୍ଥ ଫେରସ୍ତ ପାଇବାକୁ ହେଲେ ଜମାକାରୀଙ୍କୁ ଉକ୍ତ ପୋର୍ଟାଲରେ ପ୍ରଥମେ ପଞ୍ଜୀକରଣ କରିବାକୁ ହେବ। ଏହି ପଞ୍ଜୀକରଣ ଏବଂ ଆବେଦନ ପ୍ରକ୍ରିୟା ଏଠାରେ ପ୍ରଦାନ କରାଗଲା।
https://mocrefund.crcs.gov.in ୱେବସାଇଟ୍ ବା ପୋର୍ଟାଲକୁ ପ୍ରଥମେ ଖୋଲି ଉପର ଆଡ଼କୁ ଡିପୋଜିଟର ରେଜିଷ୍ଟ୍ରେସନ ସ୍ଥାନରେ ମାଉସ କ୍ଲିକ କରିବାକୁ ହେବ। ଏହାପରେ ଜମାକାରୀ ସେମାନଙ୍କ ଆଧାର ନମ୍ବରର ଶେଷ ୪ଟି ସଂଖ୍ୟା ଏବଂ ଆଧାର ସହିତ ଯୋଡ଼ା ଯାଇଥିବା ମୋବାଇଲ ନମ୍ବରର ୧୦ଟି ସଂଖ୍ୟା ଲେଖିବାକୁ ପଡ଼ିବ। ତାହାପରେ ଗେଟ୍‌ ଓଟିପି ଉପରେ କ୍ଲିକ୍‌ କରିବାକୁ ହେବ। ମୋବାଇଲ ଫୋନରେ ଯେଉଁ ଓଟିପି ନମ୍ବର ଆସିବ ତାହାକୁ ଉଦ୍ଦିଷ୍ଟ ସ୍ଥାନରେ ଲେଖିଲେ ପଞ୍ଜୀକରଣ ପ୍ରକ୍ରିୟା ଶେଷ ହେବ।

ତାହାପରେ ଡିପୋଜିଟର ଲଗଇନ ସ୍ତମ୍ଭକୁ ଯାଇ କ୍ଲିକ କରିବାକୁ ହେବ। ସେଠାରେ ବି ଆଧାର ନମ୍ବରର ଶେଷ ୪ଟି ସଂଖ୍ୟା ଏବଂ ଆଧାର ସହ ଯୋଡ଼ାଯାଇଥିବା ମୋବାଇଲ ନମ୍ବର ଲେଖିବାକୁ ହେବ। ଏଥିରେ ମଧ୍ୟ ଓଟିପି ସଂଗ୍ରହ କରି ଉଲ୍ଲେଖ କରିବାକୁ ହେବ।
ଲଗଇନ୍ ହେବା ପରେ ଆଧାର ପାଇଁ ସମ୍ମତି ଦେବା ସଂପର୍କିତ ସ୍କ୍ରିନ ଆସିବ। ସେଠାରେ ‘ଆଇ ଏଗ୍ରି’ ବଟନ ଉପରେ କ୍ଲିକ କରି ସର୍ତ୍ତାବଳିକୁ ଗ୍ରହଣ କରିବାକୁ ହେବ।
ତାହା ପର ପର୍ଯ୍ୟାୟରେ ପର୍ସନାଲ ଡିଟେଲ ସ୍କ୍ରିନକୁ ଯିବାକୁ ହେବ। ସେଠାରେ ସଂପୂର୍ଣ୍ଣ ଆଧାର ନମ୍ବର ଲେଖି ଓଟିପି ସଂଗ୍ରହ କରି ଉଲ୍ଲେଖ କରିବାକୁ ପଡ଼ିବ।
ଏହାପରେ ଓଟିପି ଏଣ୍ଟର କରି ଭେରିଫାଏ ଓଟିପି ଉପରେ କ୍ଲିକ୍‌ କରିବାକୁ ହେବ।
ଓଟିପି ଭେରିଫାଏ ବା ଯାଞ୍ଚ କରିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିସ୍ତୃତ ତଥ୍ୟ ଯଥା ନାମ, ଜନ୍ମ ତାରିଖ, ବାପା ବା ସ୍ବାମୀଙ୍କ ଆଦି ନାମ ଦେଖାଇବ।
ଜମାକାରୀ ତାଙ୍କ ଇମେଲ୍‌ ଉଲ୍ଲେଖ କରି (ଅବଶ୍ୟ ଏହା ଇଚ୍ଛାଧୀନ) ନେକ୍ସଟ ଉପରେ କ୍ଲିକ୍‌ କରିବେ।
ଜମାକାରୀମାନେ ତାହା ପରେ ସ୍କ୍ରିନରେ ଡିସପ୍ଲେ ହୋଇଥିବା ତଥ୍ୟକୁ ‌ଏଣ୍ଟର କରିବେ।
ତାହାପରେ ‘ଆଡ୍‌ କ୍ଲେମ୍‌’ ବଟନ ଉପରେ କ୍ଲିକ୍ କରିବାକୁ ହେବ। ଏହାପରେ ଜମାକାରୀ ସେମାନଙ୍କ ସମସ୍ତ ଦାବିକୁ ଦେଖିପାରିବେ।
ସବୁ ଦାବି ଉଲ୍ଲେଖ କରି ସାରିବା ପରେ ପୂର୍ବରୁ ପୂରଣ ହୋଇଥିବା କ୍ଲେମ୍ ରିକ୍ବେଷ୍ଟ ଫର୍ମ ଜେନେରେଟ୍ କରିବାକୁ ହେବ।
ପରବର୍ତ୍ତୀ ପଦକ୍ଷେପରେ ନିକଟ ଅତୀତରେ ଉଠାଯାଇଥିବା ଫଟୋ ସେହି ଫର୍ମରେ ଲଗାଇବାକୁ ହେବ। ସେହି ଫଟୋ ଉପରେ ଦସ୍ତଖତ କରିବାକୁ ବି ହେବ। କ୍ଲେମ୍‌ ଫର୍ମର ତଳ ଆଡ଼କୁ ଉଲ୍ଲିଖିତ ସ୍ଥାନରେ ଜମାକାରୀଙ୍କ ଦସ୍ତଖତ ରହିବ।
ଅପଲୋଡ ଡକ୍ୟୁମେଣ୍ଟ ସ୍କ୍ରିନକୁ ଯାଇ କ୍ଲେମ ଆପ୍ଲିକେସନ ଫର୍ମ ଅପଲୋଡ଼ କରିବାକୁ ପଡ଼ିବ। ଯଦି ପ୍ରାପ୍ୟ ରାଶି ୫୦ ହଜାର ଟଙ୍କାରୁ ଅଧିକ ରହିଥାଏ ତା’ହେଲେ ପାନ୍‌କାର୍ଡ ବାଧ୍ୟତାମୂଳକ। ପାନ୍‌କାର୍ଡ କପି ଅପଲୋଡ କରି ନେକ୍ସଟରେ କ୍ଲିକ କରନ୍ତୁ।
ଏହାପରେ ଥ୍ୟାଙ୍କ ୟୁ ପେଜ ଆସିବ। ସେଥିରେ କ୍ଲେମ ରିକ୍ବେଷ୍ଟ ନମ୍ବର ଡିସପ୍ଲେ ହେବ। ଭବିଷ୍ୟତ ରେଫରେନ୍ସ ପାଇଁ କ୍ଲେମ ରିକ୍ବେଷ୍ଟ ନମ୍ବରକୁ ନୋଟ୍ କରି ରଖନ୍ତୁ।