ନୂଆଦିଲ୍ଲୀ: ସାହାରା ଇଣ୍ଡିଆର ଜମାକାରୀମାନଙ୍କୁ ଆଉ ୫ ହଜାର କୋଟି ଟଙ୍କା ଫେରସ୍ତ ମିଳିବ। କେନ୍ଦ୍ର ସରକାରଙ୍କ ଅନୁରୋଧକ୍ରମେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତରେ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ସାହାରା ଗ୍ରୁପ୍‌ ପକ୍ଷରୁ ଜମା କରାଯାଇଥିବା ପ୍ରାୟ ୨୫ ହଜାର କୋଟି ରାଶିରୁ ୫ ହଜାର କୋଟି ଟଙ୍କା ପ୍ରଦାନ କରିବା ପାଇଁ ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଜୟମାଲ୍ୟ ବାଗ୍‌ଚୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସାହାରା ଗ୍ରୁପ୍ ଅଫ୍ କୋଅପରେଟିଭ୍‌ ସୋସାଇଟିର ଜମାକାରୀମାନଙ୍କୁ ଏହି ଅର୍ଥ ଫେରସ୍ତ କରାଯିବ, ଯାହା ସାହାରା-ସେବି ରିଫଣ୍ଡ୍‌ ଖାତାରୁ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକଙ୍କୁ ଦିଆଯିବ। ଆବଶ୍ୟକ ଯାଞ୍ଚ ପରେ କେନ୍ଦ୍ରୀୟ ସମବାୟ ସମିତି ନିବନ୍ଧକ ଏହି ଅର୍ଥ ଜମାକାରୀମାନଙ୍କୁ ପ୍ରଦାନ କରିବେ। ସୁପ୍ରିମକୋର୍ଟର ୨୦୨୩ ମାର୍ଚ୍ଚ ଆଦେଶରେ ଦିଆଯାଇଥିବା ପ୍ରକ୍ରିୟା ଅନୁରୂପ ଏହା ସମ୍ପାଦିତ ହେବ। ଏଥିସହିତ ୨୦୨୩ ଡିସେମ୍ବରରେ ଆବଣ୍ଟିତ ୫୦୦୦ କୋଟି ଟଙ୍କାର ବିତରଣ ପାଇଁ ଅନ୍ତିମ ତାରିଖ ୨୦୨୫ ଡିସେମ୍ବର ୩୧ରୁ ବୃଦ୍ଧି କରି ୨୦୨୬ ଡିସେମ୍ବର ୩୧ କରାଯାଇଛି।

Advertisment

ପିନାକ ପାଣି ମହାନ୍ତିଙ୍କ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ରେ କେନ୍ଦ୍ର ସରକାର ଦାଖଲ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହି ଆଦେଶ ଦେଇଛନ୍ତି। ୨୦୨୩ରେ ‌ସୁପ୍ରିମକୋର୍ଟଙ୍କ ରାୟରେ ଅର୍ଥ ଫେରସ୍ତ ପ୍ରକ୍ରିୟା ପୂର୍ବତନ ବିଚାରପତି ଆର୍‌ ସୁବାସ ରେଡ୍ଡୀଙ୍କ ତଦାରଖରେ ହେଉଥିବାବେଳେ ତାଙ୍କୁ ବରିଷ୍ଠ ଆଇନଜୀବୀ ଗୌ‌ରବ ଗୋଗୋଇ ନ୍ୟାୟମିତ୍ର ଭାବେ ସହାୟତା କରୁଛନ୍ତି।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ୫.୪୩ କୋଟି ନିବେଶକ ବର୍ତ୍ତମାନ ସୁଦ୍ଧା ୧,୧୩,୫୦୪.୧୨୪ କୋଟି ଟଙ୍କା ଦାବି କରିଛନ୍ତି। ସେଥିରୁ ୨୬ ଲକ୍ଷ ୨୫ ହଜାର ୯୦ ଜଣ ଜମାକାରୀଙ୍କୁ ମୋଟ ୫୦୫୩.୦୧ କୋଟି ଟଙ୍କା ଫେରସ୍ତ କରାଯାଇଛି। ଏହାବ୍ୟତୀତ ୧୩ ଲକ୍ଷ ୩୪ ହଜାର ୯୯୪ ଜଣ ନିବେଶକ ନିର୍ଦ୍ଧାରିତ ୱେବ୍‌ ପୋର୍ଟାଲରେ ଅର୍ଥ ଫେରି ପାଇବା ପାଇଁ ଆବେଦନ କରିଛନ୍ତି। ସେହି ଆବେଦନଗୁଡ଼ିକର ଯାଞ୍ଚ କାର୍ଯ୍ୟ ଜାରି ରହିଛି। ଏମାନଙ୍କ ଦାବି ବାବଦ ରାଶି ପ୍ରାୟ ୨୭,୮୪୯.୯୫ କୋଟି। 

ଉଲ୍ଲେଖଯୋଗ୍ୟ, ୨୦୧୨ ଅଗଷ୍ଟରେ ସୁପ୍ରିମକୋର୍ଟ ସାହାରା ଇଣ୍ଡିଆ ରିଅଲ୍‌ ଇଷ୍ଟେଟ କର୍ପୋରେସନ୍‌ ଲିମିଟେଡ୍‌ ଓ ସାହାରା ହାଉସିଂ ଇଣ୍ଡିଆ କର୍ପୋରେସନ୍‌ ଲିମିଟେଡ୍‌ର ନିବେଶକମାନଙ୍କୁ ଅର୍ଥ ଫେରସ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାହା ପରେ ସେବି-ସାହାରା ଏସକ୍ରୋ ଖାତା ଖୋଲାଯାଇଥିଲା। ସେହି ଖାତାରୁ ଅର୍ଥ ପ୍ରଦାନ କରାଯାଉଛି।