ନୂଆଦିଲ୍ଲୀ: ୨୦୧୮ର ଏକ ଦୁଷ୍କର୍ମ ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ବିଜେପି ନେତା ସୟଦ ସାହବାଜ ହୁସେନଙ୍କ ସ୍ବତନ୍ତ୍ର ଲିଭ୍ ପିଟିସନକୁ ସୁପ୍ରିମ୍କୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ୨୦୧୮ ମସିହାର ଏକ ଦୁଷ୍କର୍ମ ମାମଲାରେ ହୁସେନଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଥିଲେ। ଏହା ବିରୋଧରେ ସେ ସୁପ୍ରିମ୍କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପୂର୍ବରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିବାକୁ କୋର୍ଟ ଆଦେଶ ଦେଇଥିଲେ।
ଏକଘଣ୍ଟାର ଶୁଣାଣିରେ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଓ ଦୀପଙ୍କର ଦତ୍ତଙ୍କ ବେଞ୍ଚ ହୁସେନଙ୍କ ଆବେଦନକୁ ଖାରଜ କରି କହିଲେ ଯେ, ଏଥିରେ ହସ୍ତକ୍ଷେପ କରିବା ପାଇଁ କୌଣସି କାରଣ ସେମାନେ ପାଉନାହାନ୍ତି। ଆଇନରେ ସବୁପ୍ରକାର ପ୍ରତିକାର ରହିଛି। ଉପଯୁକ୍ତ ତଦନ୍ତ ହେଉ। ହୁସେନଙ୍କର ଯଦି କିଛି ଭୁଲ୍ ନ ଥିବ ତେବେ ସେ ନିର୍ଦ୍ଦୋଷ ପ୍ରମାଣିତ ହେବେ। ଏଥିପାଇଁ ଭୟ କରିବାର କୌଣସି କାରଣ ନାହିଁ। ସୂଚନାଯୋଗ୍ୟ ୨୦୧୮ ମସିହାରେ ଦିଲ୍ଲୀର ଛତରପୁର ଅଞ୍ଚଳରେ ଏକ ଫାର୍ମହାଉସ୍ରେ ହୁସେନ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।