ସହିଦ ହାବିଲଦାର କେ. ପାଲାନି ଆସନ୍ତା ବର୍ଷ ଅବସର ନେଇଥାନ୍ତେ

ରାମନାଥପୁରମ : ନୂଆଦିଲ୍ଲୀ : ସୋମବାର ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷରେ ସହିଦ ହୋଇଥିବା ହାବିଲଦାର କେ. ପାଲାନି ଆସନ୍ତା ବର୍ଷ ସେନାରୁ ଅବସର ନେବାକୁ ଯୋଜନା କରିଥିଲେ । ତାମିଲନାଡ଼ୁର ରାମନାଥପୁରମ ଜିଲ୍ଲା କାଡୁକାଲ୍ଲୁର ବାସିନ୍ଦା ପାଲାନି ପ୍ରାୟ ୨୨ ବର୍ଷ ଧରି ଜଣେ ସୈନିକଭାବେ ଦେଶମାତୃକାର ସେବା କରିଥିଲେ । ସେ ସହିଦ ହେବା ପରେ ତାମିଲନାଡ଼ୁ ସମେତ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି । ଘରେ ତାଙ୍କର ପତ୍ନୀ ଓ ଏକ ୧୦ ବର୍ଷର ପୁଅ ଓ ୮ ବର୍ଷର ଝିଅ ଅଛନ୍ତି । ସହିଦ ପାଲାନିଙ୍କର ଜଣେ ସାନ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି । ନିଜ ବଡ଼ଭାଇଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ପାଲାନିଙ୍କ ସାନଭାଇ ମଧ୍ୟ ସେନାରେ ଯୋଗ ଦେଇଛନ୍ତି ।

ଜଣେ କୃଷକର ପୁଅ ପାଲାନି ପିଲାବେଳୁ ଭାରତୀୟ ସେନାରେ ଯୋଗଦେବାକୁ ସ୍ୱପ୍ନ ଦେଖିଥିଲେ ଓ ନିଜ ସ୍ୱପ୍ନକୁ ସାକାର କରିଥିଲେ । ଗରିବ ପରିବାରର ହୋଇଥିବାରୁ ସେ ନିଜ ଗାଁ ସ୍କୁଲରେ ମାତ୍ର ୭ମ ପର୍ଯ୍ୟନ୍ତ ପଢିଥିଲେ । ତେବେ ଉତ୍ତମ କ୍ରୀଡ଼ାବିତ ହୋଇଥିବାରୁ ସେ ମାତ୍ର ୧୮ ବର୍ଷ ବୟସରେ ସେନାରେ ଯୋଗ ଦେଇଥିଲେ । ଦେଶ ସେବା ପାଇଁ ତାଙ୍କର ସ୍ୱପ୍ନ ତାଙ୍କୁ ସେନାକୁ ଟାଣିନେଇଥିଲା । ସେ ମଧ୍ୟ ନିଜର ସନ୍ତାନମାନଙ୍କୁ ସେନାରେ ଭର୍ତ୍ତି କରିବାକୁ ସ୍ୱପ୍ନ ଦେଖୁଥିଲେ ।

ସମ୍ବନ୍ଧିତ ଖବର