ନୂଆଦିଲ୍ଲୀ : କେନ୍ଦ୍ର ସାହିତ୍ୟ ଅକାଦେମି ୨୪ଟି ଭାଷାରେ ୨୦୦୮ ମସିହା ପାଇଁ ‘ସାହିତ୍ୟ ଅକାଦେମି’ ପୁରସ୍କାର ଘୋଷଣା କରିଛି। ଏହି ପୁରସ୍କାର ମଧ୍ୟରେ, ୭ଟି କବିତା ପୁସ୍ତକ, ୬ଟି ଉପନ୍ୟାସ, ୬ଟି ଗଳ୍ପ ସଂକଳନ, ୩ଟି ସମାଲୋଚନା ପୁସ୍ତକ ଓ ୨ ଟି ପ୍ରବନ୍ଧ ପୁସ୍ତକ ଅନ୍ତର୍ଭୁକ୍ତ। ଆଜି କେନ୍ଦ୍ର ସାହିତ୍ୟ ଅକାଦେମି ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ବସିଥିବା କାର୍ଯ୍ୟକାରୀ କମିଟି ବୈଠକରେ ଏହି ପୁରସ୍କାର ସମ୍ପର୍କରେ ଘୋଷଣା କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଯେଉଁ ଆଞ୍ଚଳିକ ଭାଷାରେ କବିମାନେ ଏହି ସମ୍ମାନଜନକ ପୁରସ୍କାର ପାଇଁ ଚୟନ ହୋଇଛନ୍ତି, ସେମାନେ ହେଲେ: ସନନ୍ତ ତନ୍ତୀ (ଅହମିୟା), ପରେଶ ନରେନ୍ଦ୍ର କାମାତ (କୋଙ୍କଣୀ), ଏସ୍. ରମେଶ ନାୟାର (ମାଲାୟଲମ୍), ଡ. ମୋହନଜିତ୍ (ପଞ୍ଜାବୀ), ଡ. ରଜେଶ କୁମାର ବ୍ୟାସ (ରାଜସ୍ଥାନୀ), ଡ. ରାମକାନ୍ଦ ଶୁକ୍ଳା (ସଂସ୍କୃତ) ଓ ଖିମାନ ଉ. ଉଲାମି (ସିନ୍ଧି)।
ଇନ୍ଦ୍ରଜିତ୍ କେଶର (ଡୋଗ୍ରୀ), ଅନୀସ୍ ସଲିମ୍ (ଇଂରାଜୀ), ଚିତ୍ରା ମୁଦ୍ଗଲ୍ (ହିନ୍ଦୀ), ଶ୍ୟାମ ବେଶ୍ରା (ସାନ୍ତାଳୀ), ଏସ୍. ରାମକ୍ରିଷ୍ଣନ୍ (ତାମିଲ୍) ଓ ରହମାନ୍ ଆବ୍ବାସ (ଉର୍ଦ୍ଦୁ) ଉପନ୍ୟାସ ପାଇଁ ଏହି ପୁରସ୍କାର ପାଇବେ।
ଯେଉଁମାନେ ଗଳ୍ପ ସଂକଳନ ପାଇଁ ଏହି ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିବେ ସେମାନେ ହେଲେ: ସଞ୍ଜୀବ ଚଟ୍ଟୋପଧ୍ୟାୟ (ବଙ୍ଗାଳୀ), ଋତୁରାଚ ବାସୁମାତାରୀ (ବୋଡୋ), ମୁସ୍ତାକ ଅହମ୍ମଦ ମୁସ୍ତାକ (କାଶ୍ମିରୀ), ପ୍ରଫେସର ବୀଣା ଠାକୁର (ମୈଥିଳୀ), ବୁଦ୍ଧିଚନ୍ଦ୍ର ହେସ୍ନାବା (ମଣିପୁରୀ) ଏବଂ ଲୋକନାଥ ଉପାଧ୍ୟାୟ ଚାପାଗେନ୍ (ନେପାଳୀ)। ଓଡ଼ିଆ ଭାଷା ସାହିତ୍ୟର ବିଶିଷ୍ଟ ସମାଲୋଚକ ଡ. ଦାଶରଥୀ ଦାସଙ୍କ ସହ କେ.ଜି ନାଗରାଜପ୍ପା (କନ୍ନଡ଼) ଓ ମା. ସୁ. ପାଟିଲ (ମରାଠୀ) ସମାଲୋଚନା ପାଇଁ ଏହି ପୁରସ୍କାର ପାଇବେ। ସେହିଭଳି, ସରିଫା ବିଜ୍ଲିୱାଲା (ଗୁଜୁରାଟୀ) ଓ କୋଲାକାଲୁରୀ ଏନୋଚ୍ (ତେଲୁଗୁ)ଙ୍କୁ ସେମାନଙ୍କ ପ୍ରବନ୍ଧ ପୁସ୍ତକ ପାଇଁ ମନୋନୀତ କରାଯାଇଛି।
ପ୍ରକାଶଥାଉକି, ଏହି ପୁରସ୍କାର ପାଇଁ ପ୍ରତିଭାଷାରେ ଏକ ତିନିଜଣିଆ ଚୟନ କମିଟି ଗଠନ କରାଯାଇଥିଲା। ବିଭିନ୍ନ ପୁସ୍ତକକୁ ବିଚାରକୁ ନେଇ ଏହି କମିଟି ହିଁ ପୁରସ୍କାର ପାଇଁ ସାହିତ୍ୟ ଅକାଦେମିକୁ ସୁପାରିଶ କରିଥିଲା।