୨୪ ଲେଖକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ‘ସାହିତ୍ୟୋତ୍ସବ’ କାର୍ଯ୍ୟକ୍ରମ ଗୁରୁବାରଠାରୁ ନୂଆଦିଲ୍ଲୀରେ ଆରମ୍ଭ ହୋଇଛି । ରବୀନ୍ଦ୍ର ଭବନ ଲନ୍‌ରେ ‘ଜନଜାତି ଲେଖକ ସମ୍ମିଳନୀ’ ବି ହୋଇଥିଲା। ଏଥିରେ ୨୪ଟି ଜନଜାତି ଭାଷାର ପ୍ରତିନିଧିତ୍ୱ ଦେଖିବାକୁ ମିଳିଥିଲା। ବିଶିଷ୍ଟ ବଲ୍‌ତି କବି ଅଖୋନେ ଅଜଗର ଅଲି ବଶରତ ଏହି ସମ୍ମିଳନୀକୁ ଉଦଘାଟନ କରିଥିଲେ ।

ସାହିତ୍ୟ ଉତ୍ସବ ସନ୍ଧ୍ୟାରେ କପର୍ନିକସ୍‌ ମାର୍ଗସ୍ଥିତ କମନୀ ପ୍ରେକ୍ଷାଳୟ ଠାରେ ୨୪ ଜଣ ଲେଖକଙ୍କୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଓଡ଼ିଆ ଭାଷାରେ ବିଶିଷ୍ଟ କବି ତଥା ସାହିତ୍ୟିକ ଡକ୍ଟର ହୃଷୀକେଶ ମଲ୍ଲିକ ପୁରସ୍କାର ଗ୍ରହଣ କରିଥିଲେ । ସାହିତ୍ୟ ଏକାଡେମୀର ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବିତରଣ ସମାରୋହରେ ବିଶିଷ୍ଟ ମରାଠୀ ଲେଖକ ଡକ୍ଟର ଭାଲଚନ୍ଦ୍ର ନେମାଦେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ପୁରସ୍କାର ବିଜେତାମାନଙ୍କ ମଧ୍ୟରେ ଅନୁରାଧା ଶର୍ମା ପୂଜାରୀ (ଅହମିୟା), ବ୍ରତ୍ୟ ବସୁ (ବଙ୍ଗଳା), ମୋଦାୟ ଗାହାୟ (ବୋଡୋ), ରାଜ ରାହି (ଡୋଗ୍ରୀ), ନମିତା ଗୋଖଲେ (ଇଂରାଜୀ), ଯଜ୍ଞେଶ ଦଭେ (ଗୁଜରାଟୀ), ଦୟା ପ୍ରକାଶ ସିହ୍ନା (ହିନ୍ଦୀ), ୱାଲି ମହମ୍ମଦ ଅସୀର କିସ୍ତୱାରୀ (କଶ୍ମିରୀ), ସଞ୍ଜୀବ ଭେରେଙ୍କର (କୋଙ୍କଣୀ), ଜଗଦୀଶ ପ୍ରସାଦ ମଣ୍ଡଳ (ମୈଥିଳୀ), ଜର୍ଜ ଓଣକ୍କର (ମାଲାୟଲମ),  ଥୋକୋଚୋମ୍‌ ଇବୋହାନବୀ ସିଂ (ମଣିପୁରୀ), କୀରଣ ଗୌରବ (ମରାଠୀ), ଛବିଲାଲ ଉପାଧ୍ୟାୟ (ନେପାଳୀ), ହୃଷୀକେଶ ମଲ୍ଲିକ (ଓଡ଼ିଆ), ଖାଲିଦ୍‌ ହୁସୈନ (ପଞ୍ଜାବୀ), ମୀଠେଶ ନିର୍ମୋହୀ (ରାଜସ୍ଥାନୀ), ନିରଞ୍ଜନ ହାଁସଦା (ସାନ୍ତାଳୀ), ଅର୍ଜ୍ଜୁନ ଚାୱଲା (ସିନ୍ଧୀ), ଅମ୍ବାଇ (ତାମିଲ), ଗୋରେତି ଭେଙ୍କନ୍ନା (ତେଲୁଗୁ), ଚନ୍ଦର ଭାନ୍‌ ଖୟାଲ (ଉର୍ଦ୍ଦୁ), ବିନ୍ଧେଶ୍ୱରୀ ପ୍ରସାଦ ମିଶ୍ରା ‘ବିନୟ’ (ସଂସ୍କୃତ) ସମ୍ମାନିତ ହୋଇଥିଲେ ।

ଶନିବାର ରବୀନ୍ଦ୍ର ଭବନ ଲନ ଠାରେ ଅନୁଷ୍ଠିତ ଲେଖକ ସମ୍ମିଳନୀରେ ବିଜେତାମାନେ ସେମାନଙ୍କ ପୁରସ୍କାରପ୍ରାପ୍ତ ସୃଜନଶୀଳ ସର୍ଜନା ପଛରେ ରହିଥିବା ଅନୁଭୂତି ବାଣ୍ଟିବେ । ସେହିପରି ‘‘୧୯୪୭ ମସିହା ପରଠାରୁ ଭାରତରେ ନାଟକର କ୍ରମବିକାଶ’’ ଉପରେ ଏକ ସଂଗୋଷ୍ଠୀ ଆୟୋଜନ କରାଯିବ । ଏହାକୁ ବିଶିଷ୍ଟ ମଞ୍ଚ ବ୍ୟକ୍ତିତ୍ୱ ଭାନୁ ଭାରତୀ ଉଦଘାଟନ କରିବେ ଏବଂ ସାହିତ୍ୟ ଏକାଡେମୀ ସଭାପତି ଡକ୍ଟର ଚନ୍ଦ୍ରଶେଖର କମ୍ବାର ଏଥିରେ ଅଧ୍ୟକ୍ଷତା କରିବେ ।

ସମ୍ବନ୍ଧିତ ଖବର