ବେଙ୍ଗାଲୁରୁ ଆପାର୍ଟମେଣ୍ଟ୍‌ରେ ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଅନୁବାଦକ ମୃତ; ୪ ଦିନ ପରେ ଉଦ୍ଧାର ହେଲା ଗଳିତ ଶବ

ବେଙ୍ଗାଲୁରୁ: କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାରପ୍ରାପ୍ତ ଖ୍ୟାତନାମା ଅନୁବାଦକ ଡକ୍ଟର ଜି. ନଞ୍ଜୁନ୍ଦନଙ୍କୁ ଶନିବାର ଦିନ ତାଙ୍କ ଘରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ପ୍ରାୟ ଚାରି ଦିନ ତଳୁ ୫୮ ବର୍ଷିୟ ନଞ୍ଜୁନ୍ଦନଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ଘଟିଥିବା ପୁଲିସ ଅନୁମାନ କରୁଛି। ନାଗଦେବନହଲ୍ଲି ଠାରେ ଥିବା ଆପାର୍ଟମେଣ୍ଟ୍‌ରୁ ତାଙ୍କ ଗଳିତ ଶବ ଉଦ୍ଧାର କରାଯାଇଛି।

ବେଙ୍ଗାଲୁରୁ ୟୁନିଭର୍ସିଟିର ପରିସଂଖ୍ୟାନ ବିଭାଗରେ ନଞ୍ଜୁନ୍ଦନ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। କିନ୍ତୁ, ଅଳ୍ପ କିଛି ଦିନ ହେବ ସେ ବିଶ୍ୱବିଦ୍ୟାଳୟକୁ ଯାଇ ନ ଥିଲେ।

Image Source: India Today

ତାଙ୍କର ଜଣେ ସହକର୍ମୀଙ୍କର ସନ୍ଦେହ ହେବାରୁ ସେ ଶୁକ୍ରବାର ଦିନ ତାଙ୍କୁ ଖୋଜିବାକୁ ଯାଇ ଜାଣିଲେ ତାଙ୍କ ଘରୁ ଦୁର୍ଗନ୍ଧ ବାହାରୁଛି। ସହକର୍ମୀଜଣକ ତୁରନ୍ତ ଚେନ୍ନାଇରେ ଥିବା ନଞ୍ଜୁନ୍ଦନଙ୍କ ପତ୍ନୀ ଓ ପୁତ୍ରଙ୍କୁ ସୂଚନା ଦେଲେ। ସେମାନେ ଆସି ପୁଲିସକୁ ଖବର କରିବାରୁ ପୁଲିସ କବାଟ ଭାଙ୍ଗି ଗଳିତ ଶବ ଉଦ୍ଧାର କଲେ।

ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

କନ୍ନଡ଼ ଭାଷାରୁ ତାମିଲ ଭାଷାକୁ ଅନେକ ବହି ଅନୁବାଦ କରି ନଞ୍ଜୁନ୍ଦନ ଖ୍ୟାତି ଅର୍ଜ୍ଜନ କରିଥିଲେ। ତାଙ୍କ ଅନୁବାଦ ମଧ୍ୟରେ ରହିଛି ଜ୍ଞାନପୀଠ ପୁରସ୍କାରପ୍ରାପ୍ତ ୟୁ. ଆର୍‌. ଅନନ୍ତମୂର୍ତ୍ତିଙ୍କ ‘ଭବ’ ଓ ‘ଅଶ୍ୱସ୍ତେ’ ଆଦି ପୁସ୍ତକ।

କେତେକ କନ୍ନଡ଼ ଲେଖିକାଙ୍କ କ୍ଷୁଦ୍ରଗଳ୍ପକୁ ତାମିଲ ଭାଷାରେ ଅନୁବାଦ କରି ସେ ‘ଅକ୍କା’ ନାମରେ ସଙ୍କଳନଟିଏ କରିଥିଲେ। ସେହି ସଙ୍କଳନ ନିମନ୍ତେ ତାଙ୍କୁ ୨୦୧୨ରେ କେନ୍ଦ୍ର ସାହିତ୍ୟ ଏକାଡେମିର ଅନୁବାଦ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର