ଦୁର୍ନୀତି ଅଭିଯୋଗରେ ‘ସାଇ’ କର୍ମଚାରୀ ବହିଷ୍କୃତ

ନୂଆଦିଲ୍ଲୀ : ଭାରତୀୟ କ୍ରୀଡ଼ା ପ୍ରାଧୀକରଣ (ସାଇ) କାର୍ଯ୍ୟାଳୟରେ ପୁଣି ଦୁର୍ନୀତିର ଏକ ପର୍ଦାଫାସ ହୋଇଛି। ଠିକାଦାରଙ୍କଠୁ ଲାଞ୍ଚ ନେଉଥିବା ଅଭିଯୋଗରେ କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ ବହିଷ୍କୃତ ହେବା ସାଇରେ ଦୁର୍ନୀତି ହେଉଥିବା ଘଟଣାକୁ ପଦାରେ ପକାଇ ଦେଇଛି। ମହିଳା କର୍ମଚାରୀ ଜଣକ ଅସ୍ଥାୟୀ ତଥା ଚୁକ୍ତିଭିତ୍ତିକ ଥିଲେ। ସଂପୃକ୍ତ ମହିଳା କର୍ମଚାରୀ ଜଣକ ଘଟଣାର ମୁଖ୍ୟ କାର୍ପଟଦାର ଥିଲେ ମଧ୍ୟ ଏଥିରେ ସାଇର କିଛି ଉଚ୍ଚପଦସ୍ଥ ଅଧିକାରୀଙ୍କ ସଂପୃକ୍ତି ସନ୍ଦେହ ଘେରକୁ ଆସିଛି। ଘଟଣାଟି ଗତ ଗୁରୁବାର ଅପରାହ୍ନରେ ହିଁ ପଦାକୁ ଆସିଥିଲା।

ସାଇ ଭିତରେ ଷ୍ଟାଡିୟମ୍‌ର ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଜଣେ ଘରୋଇ ଠିକାଦାର ଯିଏକି ରକ୍ଷଣାବେକ୍ଷଣ ଦାୟିତ୍ୱରେ ଅଛନ୍ତିି, ତାଙ୍କ ସହଯୋଗୀଙ୍କ ହାତରେ ୫୦୦ ଓ ୨୦୦୦ ଟଙ୍କିଆ କିଛି ବିଡ଼ା ଏକ ମୁଦ୍ରିତ ଖୋଳରେ ବହିଷ୍କୃତ ହୋଇଥିବା ମହିଳାଙ୍କ ନାମରେ ପଠାଇଥିଲେ। ‘ସାଇ’ର ଉପକରଣ ବିଭାଜନ କାର୍ଯ୍ୟାଳୟର ସଂପୃକ୍ତ ମହିଳାଙ୍କ ପାଖକୁ ଆସିଥିବା ସେହି ଖୋଳରେ ପ୍ରାୟ ଦେଢ଼ରୁ ୨ ଲକ୍ଷ ଟଙ୍କାର ୫୦୦ ଓ ୨୦୦୦ ଟଙ୍କିଆ ନୋଟ୍‌ ରହିଥିଲା। ସେହି ଖୋଳ ମଧ୍ୟରେ ମଧ୍ୟ କାହାକୁ କାହା ମଧ୍ୟରେ ଟଙ୍କା ବଣ୍ଟାଯିବ ତା’ର ଏକ ଲିଖିତ ତାଲିକା ରହିଥିଲା। ହେଲେ ଭୂଲ୍‌ବଶତଃ ହେଉ ବା ଦୁର୍ଭାଗ୍ୟବଶତଃ ଟଙ୍କା ପ୍ୟାକେଟ ସଂପୃକ୍ତ ମହିଳାଙ୍କ ବଦଳରେ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କ ହସ୍ତଗତ ହୋଇଥିଲା। ପ୍ୟାକେଟ ଖୋଲିବା ପରେ ଏତେ ସଂଖ୍ୟକ ନୋଟ୍‌ ଦେଖି ସମସ୍ତେ ହତବାକ୍‌ ହୋଇଯାଇଥିଲେ। ଏହାପରେ ସବୁ ଦୁର୍ନୀତି ଓ ଲାଞ୍ଚ କାରବାରର ପର୍ଦାଫାସ ହୋଇଗଲା।

ସମ୍ବନ୍ଧିତ ଖବର