ଓ୍ଵାଶିଂଟନ: ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଋଷ ଉପରେ ଆମେରିକା ଅନେକ ଗୁଡିଏ ପ୍ରତିବନ୍ଧକ ଲଗାଇଛି। ଋଷ ସହିତ ଭାରତର ଏସ୍-୪୦୦ ଚୁକ୍ତି ନେଇ ଭାରତ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରାଯାଉଛି। କାଟସା (CAATSA) ଅନୁସାରେ ଭାରତ ଉପରେ ପ୍ରତିବନ୍ଧକ ଲଗାଇବା ବୋକାମିର ପରିଚୟ ହେବ ବୋଲି ଟେକ୍ସାସର ସିନେଟର ଟେଡ୍ କ୍ରୁଜ୍ କହିଛନ୍ତି।
ସିନେଟର ଟେଡ୍ କ୍ରୁଜ କହିଛନ୍ତି, ଖବର ଶୁଣିବାକୁ ମିଳୁଛି ଯେ ବାଇଡେନ ପ୍ରଶାସନ, କାଟସା (କାଉଣ୍ଟରିଙ୍ଗ୍ ଆମେରିକାସ୍ ଏଡଭାରସାରିଜ୍ ଥ୍ରୁ ସାନ୍କସନ୍ସ ଆକ୍ଟ୍) ଅନୁସାରେ ଭାରତ ବିରୋଧରେ ପ୍ରତିବନ୍ଧକ ଲଗାଇବାକୁ ବିଚାର କରୁଛି। ମୋତେ ଲାଗୁଛି ଏହା ଅତ୍ୟନ୍ତ ମୂର୍ଖତାପୂର୍ଣ୍ଣ ହେବ। ଗତ ଏକ ସପ୍ତାହ ମଧ୍ୟରେ ବାଇଡେନ ପ୍ରଶାସନରେ ଭାରତ ଓ ଆମେରିକା ଦ୍ବିପାକ୍ଷୀୟ ସଂପର୍କ ଖରାପ ହୋଇଛି। ଭାରତ ଅନେକଗୁଡିଏ ବିଭାଗରେ ଆମେରିକାର ଗୁରୁତ୍ବପୂର୍ଣ୍ଣ ସହଯୋଗୀ। ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ଯଥେଷ୍ଟ ଦୃଢ ହୋଇଛି। କିନ୍ତୁ ବାଇଡେନ ସରକାରଙ୍କ ସମୟରେ ଏହି ସଂପର୍କ ଦୁର୍ବଳ ହେବାରେ ଲାଗିଛି।

ଆମେରିକାରେ କାଟସା ଆଇନ ୨୦୧୮ରେ ଲାଗୁ କରାଯାଇଥିଲା। ଏହି ଆଇନର ଉଦ୍ଦେଶ୍ୟ ଇରାନ, ଉତ୍ତର କୋରିଆ ଓ ଋଷର ଆକ୍ରମଣାତ୍ମକ ନୀତିକୁ ସାମନା କରିବା। ଏହି ଆଇନ ଅନୁସାରେ ଋଷ ଠାରୁ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର କିଣୁଥିବା ଦେଶମାନଙ୍କ ବିରୋଧରେ ଆମେରିକା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ।
ସୂଚନା ଅନୁସାରେ ଋଷିଆ ପୃଥିବୀରେ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ତିଆରି କରିଥାଏ। ଭାରତ ଋଷ ଠାରୁ ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର ଆମଦାନି କରିଥାଏ। ୭ ଡିସେମ୍ବର ୨୦୨୧ରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଋଷ ଗସ୍ତରେ ଯାଇ ୬ ଲକ୍ଷ ଏକେ-୨୦୩ ରାଇଫଲର ଚୁକ୍ତି କରିଥିଲେ। ଏହାବ୍ୟତୀତ ଏସ-୪୦୦ ମିସାଇଲ୍ ସିଷ୍ଟମ ବି ଋଷରୁ ଭାରତକୁ ଆସିବାର ଅଛି।