ଉତ୍ତରପ୍ରଦେଶ ଏଟିଏସକୁ ବଡ ସଫଳତା: ଜୈସ-ଏ-ମହମ୍ମଦର ଆତଙ୍କବାଦୀ ସୈଫୁଲ୍ଲା ଗିରଫ

ଲଖନଉ: ସ୍ୱାଧୀନତା ଦିବସ ପୂର୍ବରୁ ଉତ୍ତରପ୍ରଦେଶ ଏଟିଏସକୁ ଆଜି ଏକ ବଡ ସଫଳତା ମିଳିଛି | ସାହାରନପୁରରୁ ଗିରଫ ହୋଇଥିବା ଆତଙ୍କବାଦୀ ନଦୀମର ସହଯୋଗୀ ଭାବେ ପରିଚିତ ଜୈସ-ଏ-ମହମ୍ମଦର ଅନ୍ୟ ଜଣେ ଆତଙ୍କବାଦୀ ସୈଫୁଲ୍ଲାକୁ କାନପୁରରୁ ଗିରଫ କରାଯାଇଛି। ହବିବ ଉଲ ଇସଲାମ ଓରଫ ସୈଫୁଲ୍ଲା ଭର୍ଚୁଆଲ ଆଇଡି ତିଆରି କରିବାରେ ଜଣେ ବିଶେଷଜ୍ଞ ଏବଂ ସେ ନଦୀମ ସମେତ ଅନେକ ପାକିସ୍ତାନୀ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ପ୍ରାୟ ୫୦ ଟି ଭର୍ଚୁଆଲ ଆଇଡି ପ୍ରସ୍ତୁତ କରି ଦେଇଥିଲା । ଟେଲିଗ୍ରାମ,ହ୍ୱାଟ୍ସଆପ୍ ଏବଂ ଫେସବୁକ୍ ମେସେଞ୍ଜର ଇତ୍ୟାଦି ସୋସିଆଲ ମିଡିଆ ମାଧ୍ୟମ ମାଧ୍ୟମରେ ପାକିସ୍ତାନ ଏବଂ ଆଫଗାନିସ୍ତାନରେ ଥିବା ଅନେକ ହ୍ୟାଣ୍ଡେଲରଙ୍କ ସହ ସୈଫୁଲ୍ଲା ହିଁ ଯୋଗାଯୋଗ ରଖି ନଦୀମକୁ ସାହାଯ୍ୟ କରୁଥିଲା |

ସୂଚନା ଥାଉ କି ଯେ ସାହାରନପୁରର ଗିରଫ ହୋଇଥିବା ଆତଙ୍କବାଦୀ ମହମ୍ମଦ ନଦୀମର ସହଯୋଗୀମାନଙ୍କୁ ଧରିବାକୁ ଏବେ ଉତ୍ତରପ୍ରଦେଶ ଏଟିଏସ ଅପରେସନ ଆରମ୍ଭ କରିଥିବାବେଳେ ଆଜି ସୈଫୁଲ୍ଲା ଧରାପଡିଛି | ଏହାପୂର୍ବରୁ ଏଟିଏସ୍ ଆଜମଗଡରୁ ସାବୁଦ୍ଦିନ ଆଜମୀକୁ ଗିରଫ କରିଥିଲା। ସାହାରନପୁରରୁ ଗିରଫ ନଦୀମ ଦେଶର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଘଟଣା ଘଟାଇବାକୁ ପ୍ରସ୍ତୁତ ହେଉଥିଲା । ୨୦୧୮ରେ ଅନଲାଇନ୍ ପ୍ଲାଟଫର୍ମରେ ନଦୀମ ପାକିସ୍ତାନୀ ଆତଙ୍କବାଦୀ ହାକିମୁଲ୍ଲା ସହ ପରିଚିତ ହୋଇଥିଲା ।

ହାକିମୁଲ୍ଲା ହିଁ ନଦୀମକୁ ସୈଫୁଲ୍ଲା ସହିତ ପରିଚିତ କରାଇଥିଲା। ସୂଚନା ଥାଉ କି ଗିରଫ ଆତଙ୍କବାଦୀ ନଦୀମ ପାକିସ୍ତାନଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଏବଂ ତେହେରିକ-ଇ-ତାଲିବାନ ସହ ସିଧାସଳଖ ଯୋଗାଯୋଗରେ ଥିଲା। ତାଙ୍କୁ ନୂପୁର ଶର୍ମାଙ୍କୁ ହତ୍ୟା କରିବାର ଦାୟିତ୍ବ ଦିଆଯାଇଥିଲା, କିନ୍ତୁ କାର୍ଯ୍ୟ ଶେଷ ହେବା ପୂର୍ବରୁ ଆତଙ୍କବାଦୀମାନେ ୟୁପି ଏଟିଏସ ହାତରେ ଧରାପଡିଥିଲେ।

ସମ୍ବନ୍ଧିତ ଖବର