ନୂଆଦିଲ୍ଲୀ: ଅନେକ ସେଲିବ୍ରିଟି ଡିପ୍ଫେକ୍ ପ୍ରଯୁକ୍ତିର ଶିକାର ହେବାର ଖବର ମଝିରେ ମଝିରେ ମିଳୁଥିବା ବେଳେ କ୍ରିକେଟ ତାରକା ସଚିନ ତେନ୍ଦୁଲକର ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ତେନ୍ଦୁଲକର ଗେମିଂ ଆପ୍ ‘ସ୍କାଏଓ୍ୱାର୍ଡ ଏଭିଏଟର କ୍ୱେଷ୍ଟ’କୁ ସମର୍ଥନ କରୁଥିବା ଏକ ଡିପ୍ଫେକ୍ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୂରି ବୁଲୁଛି। ଭିଡିଓରେ କ୍ରିକେଟ୍ ତାରକା କେବଳ ଏହି ଆପ୍କୁ ସମର୍ଥନ କରୁଥିବା ଦେଖାଯାଇନାହିଁ ବରଂ ତାଙ୍କ ଝିଅ ସାରା ଏଥିରୁ ଆର୍ଥିକ ଫାଇଦା ପାଉଛନ୍ତି ବୋଲି ସେ ମିଥ୍ୟା ଦାବି କରୁଥିବା ଦେଖିବାକୁ ମିଳୁଛି।
ଏହି ଭିଡିଓଗୁଡ଼ିକ ନକଲି। ବୈଷୟିକ ଜ୍ଞାନକୌଶଳର ବ୍ୟାପକ ଦୁରୁପଯୋଗ ଅତ୍ୟନ୍ତ ଦୁଃଖଦାୟକ। ସମସ୍ତଙ୍କୁ ଅନୁରୋଧ ଯେ ସେମାନେ ଏପରି ଭିଡିଓ, ବିଜ୍ଞାପନ ଏବଂ ଆପ୍କୁ ଅଧିକ ସଂଖ୍ୟାରେ ରିପୋର୍ଟ କରନ୍ତୁ ବୋଲି ତେନ୍ଦୁଲକର ଉକ୍ତ ନକଲି ଭିଡିଓକୁ ସେୟାର କରି ଏକ୍ସରେ ଲେଖିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡିକ ଅଭିଯୋଗ ପ୍ରତି ସତର୍କ ଏବଂ ଉତ୍ତରଦାୟୀ ହେବା ଆବଶ୍ୟକ। ଭୁଲ ସୂଚନା ଓ ଡିପ୍ଫେକ୍ର ପ୍ରସାରକୁ ରୋକିବା ପାଇଁ ସେମାନଙ୍କ ତରଫରୁ ତ୍ୱରିତ ପଦକ୍ଷେପ ନେବା ଜରୁରୀ ବୋଲି ସେ କହିଛନ୍ତି