ନୂ୍ଆଦିଲ୍ଲୀ: ବିଜେପି ନେତା ନାୟବ ସିଂହ ସାଇନି ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଏହା ନାୟବ ସିଂହ ସାଇନିଙ୍କର ଦ୍ବିତୀୟ କ‌ାର୍ଯ୍ୟକାଳ। ପଞ୍ଚକୁଳାର ଦଶହରା ପଡ଼ିଆରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାମାନଙ୍କ ଉପସ୍ଥିତିରେ ନାୟବ ସିଂହ ସାଇନି ଏବଂ ଅନ୍ୟ ନବ ନିର୍ବାଚିତ ବିଧାୟକମାନେ ଆଜି ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଏନ୍‌ଡିଏ ଶାସିତ ରାଜ୍ୟର ୧୮ ମୁଖ୍ୟମନ୍ତ୍ରୀ  ଉପସ୍ଥିତ ଥିଲେ। ଆଗକୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାବେଳେ ଏହା ଏନ୍‌ଡିଏ ନେତାମାନଙ୍କର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି।    ମୁଖ୍ୟମନ୍ତ୍ରୀଙ୍କ ସହିତ ନୂଆ କ୍ୟାବିନେଟ୍‌ର ୧୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନେ ହେଉଛନ୍ତି  ଅନିଲ ବିଜ୍‌, କ୍ରୀଷ୍ଣ ଲାଲ୍‌ ପନୱର, ରାଓ ନରବୀର ସିଂହ, ମହିପାଲ ଢାଣ୍ଡା, ବିପୁଲ ଗୋଏଲ, ଅରବିନ୍ଦ କୁମାର ଶର୍ମା, ଶ୍ୟାମ ସିଂହ ରାଣା‌, ରଣବୀର ସିଂହ ଗଙ୍ଗୱା, କୃଷ୍ଣ ବେଦୀ,  ଗୌରବ ଗୌତମ, ଆରତି ସିଂହ ରାଓ ଓ  ରାଜେଶ ନଗର। 

Advertisment
କ୍ୟାବିନେଟ୍‌ରେ ୧୩ ମନ୍ତ୍ରୀ 
ଏନ୍‌ଡିଏର ଶକ୍ତି ପ୍ରଦର୍ଶନ: ୧୮ ମୁଖ୍ୟମନ୍ତ୍ରୀ ସାମିଲ

ଉଲ୍ଲେଖଯୋଗ୍ୟ,  ସମସ୍ତ ଏକ୍‌ଜିଟ୍‌ ପୋଲ୍‌କୁ ଭୁଲ୍‌ ପ୍ରମାଣିତ କରି ନାୟବ ସିଂହ ସାଇନି ହରିୟାଣାରେ ବିଜେପିକୁ ବଡ଼ ସଫଳତା ପ୍ରଦାନ କରିଛନ୍ତି। ୯୦ ସଦସ୍ୟ ବିଶିଷ୍ଟ ହରିୟାଣା ବିଧାନସଭାରେ ବିଜେପି ୪୮ ଆସନ ହାସଲ କରିଛି। କୁରୁକ୍ଷେତ୍ର ଜିଲ୍ଲାର ଲଡ଼ୱା ଆସନରୁ ନିର୍ବାଚନ ଜିତିଥିବା  ୫୪ ବର୍ଷୀୟ ଦଳିତ ନେତା ସାଇନି  ଗତକାଲି ସର୍ବସମ୍ମତିକ୍ରମେ ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହୋଇଥିଲେ।  ଏହାପରେ ସେ ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରେୟଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ।  ହରିୟାଣାରେ ଓବିସିର ଜଣେ ପ୍ରମୁଖ ନେତା ସାଇନି ପୂର୍ବରୁ କୁରୁକ୍ଷେତ୍ରରୁ ଲୋକସଭା ସାଂସଦ ଥିଲେ।  ୨୦୧୦ରେ ସେ ନିର୍ବାଚନୀ ରାଜନୀତିରେ ପ୍ରବେଶ କରିଥିଲେ।   ୨୦୧୪ରେ ସେ ନାରାୟଣଗଡ଼ ବିଧାନସଭା ଆସନରୁ ନିର୍ବାଚନ ଜିତି ଖଟ୍ଟର କ୍ୟାବିନେଟ୍‌ରେ ଯୋଗ ଦେଇଥିଲେ।  ୨୦୨୩ ଅକ୍ଟୋବରରେ ତାଙ୍କୁ ହରିୟାଣା ବିଜେପି ମୁଖ୍ୟ ନିଯୁକ୍ତ କରାଯାଇଥିଲା।