୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ସଜ୍ଜନ କୁମାର ଆତ୍ମସମର୍ପଣ କଲେ; ଜେଲରେ ବିତିବ ବାକି ଜୀବନ

ନୂଆଦିଲ୍ଲୀ : ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡାଦେଶ ପାଇଥିବା ପୂର୍ବତନ କଂଗ୍ରେସ ନେତା ସଜ୍ଜନ କୁମାର ସୋମବାର ନୂଆଦିଲ୍ଲୀର କାର୍କରଦୁମା କୋର୍ଟରେ ହାଜର ହୋଇ ଆତ୍ମସମର୍ପଣ କରିଛନ୍ତି। ଏହି ୭୩ ବର୍ଷୀୟ ନେତାଙ୍କୁ ଦିଲ୍ଲୀ ହାଇକୋର୍ଟ ଡିସେମ୍ବର ୩୧ ତାରିଖ ପୂର୍ବରୁ ଆତ୍ମସମର୍ପଣ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ସଜ୍ଜନ କୁମାର ତାଙ୍କୁ ଆତ୍ମସମର୍ପଣ ଲାଗି ଏକ ମାସ ମହଲତ ଦେବାକୁ ଆବେଦନ କରିଥିଲେ, ଯାହାକୁ ଅଦାଲତ ନାକଚ କରିଦେଇଥିଲେ।

ଡିସେମ୍ବର ୧୮ ତାରିଖରେ ଦିଲ୍ଲୀ ହାଇକୋର୍ଟ ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଥିଲେ। ଦଙ୍ଗାକୁ ବ୍ୟାପକ କରିବା ପାଇଁ ଅନ୍ୟମାନଙ୍କୁ ଉସୁକାଇବା ଏବଂ ଷଡ଼ଯନ୍ତ୍ର ରଚିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ସଜ୍ଜନଙ୍କୁ ୩୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ୧୯୪୭ରେ ଦେଶ ବିଭାଜନ ବେଳେ ଯେଉଁଭଳି ଭାବେ ଲୋକଙ୍କୁ ହତ୍ୟା କରାଯାଇଥିଲା ଠିକ୍ ୩୭ ବର୍ଷ ପରେ ଦିଲ୍ଲୀରେ ଏହି ଘଟଣାର ପୁନରାବୃତ୍ତି ଘଟିଥିଲା। ଅଭିଯୁକ୍ତମାନେ ରାଜନୈତିକ ପତିଆରାର ଫାଇଦା ଉଠାଇ ବିଚାରପ୍ରକ୍ରିୟାରୁ ବର୍ତ୍ତିଚାଲିଥିଲେ। ବିଚାରପତି ଏସ୍ ମୁରଲିଧର ଏବଂ ବିଚାରପତି ବିନୋଦ ଗୋଏଲଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ସଜ୍ଜନ କୁମାରଙ୍କ ସମେତ କ୍ୟାପଟେନ୍ ଭାଗମଲ, ଗିରିଧାରୀ ଲାଲ୍, ବଲୱାନ ଖୋକରଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡାଦେଶ ହୋଇଛି।

ଅନ୍ୟପକ୍ଷରେ କିଷନ ଖୋକରେନ୍ ଏବଂ ପୂର୍ବତନ ବିଧାୟକ ମହେନ୍ଦ୍ର ଯାଦବଙ୍କୁ ୧୦ ବର୍ଷ ଜେଲଦଣ୍ଡ ମିଳିଛି। ଦୀର୍ଘ ୩୪ ବର୍ଷ ପରେ ବରିଷ୍ଠ କଂଗ୍ରେସ ନେତା ସଜ୍ଜନ କୁମାର ଦୋଷୀସାବ୍ୟସ୍ତ ହୋଇଥିବା ବେଳେ ପୂର୍ବରୁ ନିମ୍ନ ଅଦାଲତ ତାଙ୍କୁ ଦୋଷମୁକ୍ତ କରିଦେଇଥିଲେ। ନଭେମ୍ବର ୧, ୧୯୮୪ ରେ ଦିଲ୍ଲୀର ରାଜନଗର ଅଞ୍ଚଳରେ ୫ ଜଣ ଶିଖଙ୍କୁ ହତ୍ୟା ମାମଲାରେ ସଜ୍ଜନ କୁମାରଙ୍କୁ ତଳକୋର୍ଟ ଦୋଷମୁକ୍ତ କରିବା ପରେ ସିବିଆଇ ଏହାକୁ ହାଇକୋର୍ଟରେ ଚାଲେଂଜ କରିଥିଲା।

ସମ୍ବନ୍ଧିତ ଖବର