ଜ୍ଞାନବ୍ୟାପୀ ବୋଲି ଶବ୍ଦ କୋରାନ କି ଇସଲାମରେ ନାହିଁ: ସାକ୍ଷୀ ମହାରାଜ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ବାରଣାସୀରେ ଜ୍ଞାନବ୍ୟାପି ମସଜିଦର ୪୦ ପ୍ରତିଶତ ସର୍ଭେ ଶନିବାର ଶେଷ ହୋଇଛି। ଆଜି ସର୍ଭେର ପ୍ରଥମ ଦିନ ଥିଲା। ସର୍ଭେ ଶେଷ ହେବା ପରେ ବିଜେପି ସାଂସଦ ସାକ୍ଷୀ ମହାରାଜ ଏକ ଆଶ୍ଚର୍ଯ୍ୟ କଲା ଭଳି କଥା କହିଛନ୍ତି। ସେ କହିଛନ୍ତି ଯେ କୁରାନ ଏବଂ ଇସଲାମର କୌଣସି ସ୍ଥାନରେ ଜ୍ଞାନବ୍ୟାପି ଭଳି ଶବ୍ଦ ନାହିଁ।

ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ, ଭାରତ ହେଉଛି ଏକ। ଯିଏ ଭାରତୀୟ ସମ୍ବିଧାନ ବିରୋଧରେ କିଛି କରେ, ତା’ ବିରୋଧରେ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଜ୍ଞାନବ୍ୟାପୀ ପରି ଏକ ଶବ୍ଦ କୁରାନ ଏବଂ ଇସଲାମରେ ନାହିଁ। ଜ୍ଞାନବ୍ୟାପି ଅର୍ଥ ହେଉଛି ଜ୍ଞାନର ହ୍ରଦ ଓ ଜ୍ଞାନର କୂଅ। ଏହି ଶବ୍ଦରୁ ଏହା ସ୍ପଷ୍ଟ ହୋଇଛି ଯେ ସେହି ସ୍ଥାନ ଭଗବାନ ଶିବଙ୍କର ଅଟେ, ଯିଏ ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଏହାକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ।

ତେବେ ଆଜି ଜ୍ଞାନବ୍ୟାପି ମସଜିଦର ତଳ ମହଲାର ଚାରୋଟି କୋଠରୀ ଏବଂ ପଶ୍ଚିମ କାନ୍ଥର ସର୍ଭେ କରାଯାଇଥିଲା। ସର୍ଭେ ପରେ ବାହାରକୁ ଆସିଥିବା ବିଶ୍ୱ ବୈଦିକ ସନାତନ ସଂଗଠନର ମୁଖ୍ୟ ଜିତେନ୍ଦ୍ର ସିଂ ବିସେନ କହିଛନ୍ତି ଯେ କଳ୍ପନାଠାରୁ ଅଧିକ କିଛି ଅଛି। ଆସନ୍ତାକାଲି ହେବାକୁ ଥିବା ସର୍ଭେରେ ଅନେକ କିଛି ଯାଞ୍ଚ କରାଯିବାର ଯୋଜନା ରହିଛି। ଆଜି କିଛି ତାଲା ଖୋଲା ଯାଇଛି ଓ କିଛି ତାଲା ଭାଙ୍ଗିବାକୁ ପଡିଛି। ସର୍ଭେ ଶେଷ ହେବା ପରେ ରିପୋର୍ଟ ମଧ୍ୟ ସମସ୍ତଙ୍କ ସାମ୍ନାକୁ ଆସିବ।

ସମ୍ବନ୍ଧିତ ଖବର